ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୨ କଲେଜକୁ ବୋମା ଧମକ, କ୍ୟାମ୍ପସ ଖାଲି

ରାଜଧାନୀ ଦିଲ୍ଲୀ ରେ ଆଜି ଭୟଭୀତକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବାରାମଜସ କଲେଜ ଏବଂ ମିରାଣ୍ଡା ହାଉସକୁ ବୋମା ଧମକପୂର୍ଣ୍ଣ ଇମେଲ୍ ମିଳିଥିବା ସୂଚନା ମିଳିଛି।
ଧମକ ମିଳିବା ସହିତ ଦୁଇଟି କଲେଜକୁ ତୁରନ୍ତ ଖାଲି କରାଯାଇଥିଲା। ଏହାର ପରେ ସମଗ୍ର କ୍ୟାମ୍ପସରେ ଆତଙ୍କ ଖେଳିଯାଇଥିଲା ଓ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ।
ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ତୁରନ୍ତ ଜୋରଦାର କରାଯାଇଥିଲା। ବୋମା ନିଷ୍କ୍ରିୟକାରୀ ଦଳ ଓ ଡଗ୍ ସ୍କ୍ୱାଡ୍ କଲେଜ କ୍ୟାମ୍ପସକୁ ପହଞ୍ଚି ସମ୍ପୂର୍ଣ୍ଣ ତଲାସି ଅଭିଯାନ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀମାନେ ପ୍ରତ୍ୟେକ କୋଣାକାନ୍ତରେ ଯାଞ୍ଚ କରୁଛନ୍ତି।
ତେବେ ଏପର୍ଯ୍ୟନ୍ତ କୌଣସି ବିସ୍ଫୋରକ ବା ସନ୍ଦିଗ୍ଧ ବସ୍ତୁ ମିଳିନାହିଁ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଏକ ମିଥ୍ୟା ଧମକ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ଘଟଣା ପରେ ପୋଲିସ ଓ ସୁରକ୍ଷା ଏଜେନ୍ସିମାନେ ଇମେଲ୍ର ଉତ୍ସ ଖୋଜିବା ପାଇଁ ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣା ଦିଲ୍ଲୀର ଶିକ୍ଷାନୁଷ୍ଠାନମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି।



