କିଏ ପିନ୍ଧିବ ବଙ୍ଗର ତାଜ୍, ନେତା ବାଛୁଛନ୍ତି ବଙ୍ଗବାସୀ
ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ

କୋଲକାତା, 23 ଏପ୍ରିଲ- ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏଥର ଶାସକ ତୃଣମୂଳ କଂଗ୍ରେସ ଏବଂ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।
ପଶ୍ଚିମବଙ୍ଗ ବିଧାନସଭାର ୧୫୨ ଆସନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟି ଆରମ୍ଭ ହୋଇଛି। ୧୬ ଜିଲାରେ ହେଉ ଥିବା ଏହି ମତଦାନ ୪୪,୩୭୬ଟି ବୁଥ୍ରେ ଅନୁଷ୍ଠିତ ହେଉଛି।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ ୪୦୭ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ନିୟୋଜିତ ହୋଇଛନ୍ତି। ସବୁ ବୁଥ୍ରେ ଓ୍ବେବ୍କାଷ୍ଟିଂ କରାଯାଉଛି। ଏହି ପର୍ଯ୍ୟାୟରେ ୩.୬୦ କୋଟି ଯୋଗ୍ୟ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି।
ସେଥିରୁ ୧.୮୪ କୋଟି ପୁରୁଷ, ୧.୭୫ କୋଟି ମହିଳା ଏବଂ ୪୬୫ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି।
ମାଲଦା, ମୁର୍ଶିଦାବାଦ, ଉତ୍ତର ଦିନାଜପୁର, କୁଚ୍ବିହର, ବୀରଭୂମ ଓ ବର୍ଦ୍ଧମାନ ଭଳି କେତେକ ଜିଲା ଆଂଶିକ ସମ୍ବେଦନଶୀଳ ହୋଇଥିବାବେଳେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଶୁଭେନ୍ଦୁ ଅଧିକାରୀ (ଭାଜପା), ନିଶିଥ ପ୍ରାମାଣିକ(ଭାଜପା), ଉଦୟନ ଗୁହା(ଟିଏମ୍ସି) ଗୌତମ ଦେବ (ଟିଏମ୍ସି) ଏବଂ ଅଧୀର ରଞ୍ଜନ ଚୌଧୁରୀ (କଂଗ୍ରେସ) ପ୍ରମୁଖ ରହିଛନ୍ତି।



