ବାତ୍ୟା ‘ଆକଭାନ୍’ ପ୍ରଭାବ: ୩୭ ଟ୍ରେନ୍ ବାତିଲ, ୨୬ଟିର ସମୟ ପରିବର୍ତ୍ତନ

ଭୁବନେଶ୍ୱର: ବାତ୍ୟା ‘ଆକଭାନ୍’କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏପର୍ଯ୍ୟନ୍ତ ୩୭ଟି ଟ୍ରେନ୍ ବାତିଲ କରାଯାଇଥିବା ବେଳେ ୨୬ଟି ଟ୍ରେନ୍ର ସମୟ ପରିବର୍ତ୍ତନ କରାଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ବାତ୍ୟାର ଗତିବିଧି ଓ ସ୍ଥଳଭାଗ ଅତିକ୍ରମ ସ୍ଥିତି ଉପରେ ନଜର ରଖିବାକୁ ଉଚ୍ଚସ୍ତରୀୟ ଟିମ୍ ଗଠନ କରାଯାଇଛି। ଉପକୂଳ ଅଞ୍ଚଳରେ ରେଳଧାରଣା ଯାଞ୍ଚକୁ ଜୋରଦାର କରାଯିବା ସହ ଜରୁରୀ ପୁନରୁଦ୍ଧାର ପାଇଁ ଭାରୀ ଯନ୍ତ୍ରପାତି, ରିଜର୍ଭ ରେକ୍ ଓ ଅତିରିକ୍ତ କର୍ମଚାରୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଟ୍ରେନ୍ ବାତିଲ ଓ ସମୟ ପରିବର୍ତ୍ତନ ସମ୍ପର୍କିତ ସୂଚନା ଏନ୍ଟିଇଏସ୍ ଆପ୍, ସୋସିଆଲ ମିଡିଆ ଓ ଷ୍ଟେସନରେ ଘୋଷଣା ମାଧ୍ୟମରେ ଯାତ୍ରୀଙ୍କୁ ଦିଆଯାଉଛି।
ପରିବର୍ତ୍ତିତ ସମୟ ଅନୁଯାୟୀ, ଏସ୍ଏମ୍ଭିବି-ଏମ୍ଏଫ୍ପି ଏକ୍ସପ୍ରେସ୍ ୮ ଘଣ୍ଟା, ଇଷ୍ଟକୋଷ୍ଟ ଏକ୍ସପ୍ରେସ୍ ଓ ଜେଏନ୍ଆର୍ଡି-ଭୁବନେଶ୍ୱର ସୁପରଫାଷ୍ଟ ୭ ଘଣ୍ଟା ଏବଂ ବିବେକ ଏକ୍ସପ୍ରେସ୍ ୫ ଘଣ୍ଟା ବିଳମ୍ବରେ ଚାଲିବ। ହୀରାକୁଦ ଏକ୍ସପ୍ରେସ୍ ୫ ଘଣ୍ଟା ୩୦ ମିନିଟ୍ ଓ ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ୫ ଘଣ୍ଟା ବିଳମ୍ବରେ ଚଳାଚଳ କରିବ। ଅନ୍ୟପକ୍ଷରେ, ହାୱଡ଼ା-ତିରୁଚିରାପଲ୍ଲୀ ସୁପରଫାଷ୍ଟ ୭ ଘଣ୍ଟା ଏବଂ ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ ଓ ପ୍ରଶାନ୍ତି ଏକ୍ସପ୍ରେସ୍ ୩ ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ଚାଲିବ। ହାଟିଆ-ପୁରୀ ଏକ୍ସପ୍ରେସ୍ ମଧ୍ୟ ୪ ଘଣ୍ଟା ବିଳମ୍ବ ରହିଛି।
ଏପଟେ ବାତ୍ୟାକୁ ନେଇ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ମଧ୍ୟ ସତର୍କ ରହିଛନ୍ତି। ମାନକ କାର୍ଯ୍ୟପଦ୍ଧତି ଓ ବୈଷୟିକ ନିର୍ଦ୍ଦେଶାବଳୀ ଅନୁସାରେ ସମସ୍ତ ପ୍ରସ୍ତୁତି କରାଯାଇଛି। ଏବେ ସୁଦ୍ଧା କୌଣସି ବିମାନ ବାତିଲ ହୋଇନାହିଁ ଏବଂ ଉଡ଼ାଣ ସ୍ୱାଭାବିକ ରହିଛି। ପବନର ବେଗ ନିର୍ଦ୍ଧାରିତ ସୁରକ୍ଷା ସୀମା ଅତିକ୍ରମ କଲେ ବିମାନ ଚଳାଚଳ ବନ୍ଦ ନେଇ ନିଷ୍ପତ୍ତି ହେବ। ଯାତ୍ରୀମାନେ ଯାତ୍ରା ପୂର୍ବରୁ ନିଜ ଟ୍ରେନ୍ ଓ ବିମାନର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।


