ଦୁର୍ଘଟଣାଦେଶ

ଦହିହାଣ୍ଡି ଉତ୍ସବରେ ୩୭୬ ଗୋବିନ୍ଦା ଆହତ, ୨ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ ପାରମ୍ପରିକ ଦହିହାଣ୍ଡି ଉତ୍ସବ ପାଳନ ବେଳେ ବିଭିନ୍ନ ଅଘଟଣରେ ଆହତ ଗୋବିନ୍ଦାଙ୍କ ସଂଖ୍ୟା ୩୭୬ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୯୦ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ୨୮୬ ଜଣଙ୍କୁ ଚିକିତ୍ସା ପରେ ଡିସ୍‌ଚାର୍ଜ କରାଯାଇଛି। ଜନ୍ମାଷ୍ଟମୀର ପରଦିନ ପାଳିତ ହେଉଥିବା ଏହି ଉତ୍ସବରେ ମାନବ ପିରାମିଡ୍‌ ଗଠନ କରି ଦହିହାଣ୍ଡି ଭାଙ୍ଗିବା ପରମ୍ପରା ରହିଛି।
ଏହି ଉତ୍ସବ ସମୟରେ ମୁମ୍ବାଇର ମାଲାଡ୍‌ ୱେଷ୍ଟ ଅଞ୍ଚଳର ମାଲୱାଣୀରେ ଏକ ନିର୍ମାଣାଧୀନ କୋଠାର ଇଟା ସ୍ତମ୍ଭ ଭୁଶୁଡ଼ି ୭ ବର୍ଷୀୟ ରୁଦ୍ର କଦମଙ୍କ ମୃତ୍ୟୁ ଘଟିଛି। ଦହିହାଣ୍ଡି ପାଇଁ ବନ୍ଧାଯାଇଥିବା ଦଉଡ଼ିର ଚାପରେ ସ୍ତମ୍ଭଟି ଭୁଶୁଡ଼ି ପଡ଼ିଥିଲା। ଗୁରୁତର ଆହତ ରୁଦ୍ରଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ପୁଣେର ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳର ଓଲ୍ଡ ସାଙ୍ଗଭିରେ ମଧ୍ୟ ଏକ ଅଘଟଣ ଘଟିଛି। ଦହିହାଣ୍ଡି କାର୍ଯ୍ୟକ୍ରମ ଶେଷ ପରେ ଲୁହା ଢାଞ୍ଚା ଖୋଲୁଥିବା ବେଳେ ଏକ ଭାରୀ ଧାତବ ଅଂଶ ଖସି ୪୫ ବର୍ଷୀୟ ସଲମା ସଲାଉଦ୍ଦିନ ପଠାନଙ୍କ ମୁଣ୍ଡରେ ପଡ଼ିଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଅଭିଯୋଗ ନକରିଥିଲେ ମଧ୍ୟ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Show More

Related Articles

Back to top button