Breaking PLUSଅପରାଧଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ମଣିପୁରରେ ପୁଣି ରକ୍ତପାତ: ୩ ଜିଲ୍ଲାରେ ହିଂସା, ୩ ମୃତ; ଜଳିଲା ଏକାଧିକ ଘର

 

ଇମ୍ଫାଲ: ମଣିପୁରରେ ପୁଣି ଥରେ ସୁରକ୍ଷା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ କାମଜୋଙ୍ଗ, ଉଖରୁଲ ଓ କାଙ୍ଗପୋକପି ଜିଲ୍ଲାରେ ବିଭିନ୍ନ ହିଂସାତ୍ମକ ଘଟଣା ଘଟିଛି। ଗୁଳିବିନିମୟରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂହ ବିଭିନ୍ନ ଘଟଣାରେ ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଦାବି କରିଛନ୍ତି। ହିଂସା ଯୋଗୁଁ ଅନେକ ଘର ଜଳିଯାଇଥିବା ବେଳେ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି।

ପୋଲିସ ଅନୁଯାୟୀ, କାମଜୋଙ୍ଗ ଜିଲ୍ଲାର ଚାସାଦ ଗ୍ରାମରେ ଶୁକ୍ରବାର ରାତିରେ ୪୨ ବର୍ଷୀୟା ଡୋମଖୋନି ଥାଥାଙ୍ଗଙ୍କୁ ଗୁଳି କରାଯାଇଥିଲା। ପାଞ୍ଚ ସନ୍ତାନର ମା’ ଥିବା ଡୋମଖୋନିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାପରେ ଶନିବାର ସକାଳେ କୁକି ଓ ନାଗା ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨୩ ବର୍ଷୀୟ ମାଇକେଲ ନଗାମିନଲେନ୍‌ ହାଓକିପ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦ଟି ଘର ପୋଡ଼ି ଦିଆଯାଇଥିବା ଖବର ମିଳିଛି। ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌)ର ଧାରା ୧୬୩ ଅନୁଯାୟୀ ନିଷେଧାଦେଶ ଜାରି ହୋଇଛି।

ଉଖରୁଲ ଜିଲ୍ଲାରେ ଚେପୁ ୟାଓଲେନ୍‌ ନିକଟରେ ଏକ ଚଳନ୍ତା ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିଲା। ଏଥିରେ ଗାଡ଼ି ଚାଳକ ୪୦ ବର୍ଷୀୟ ସନ୍ଦୀପ ରାୟଙ୍କ ମୃତ୍ୟୁ ହୋଇଥିଲା। ସେ ନେପାଳୀ ସମ୍ପ୍ରଦାୟର ଥିଲେ। ଏହାପରେ ଅଜ୍ଞାତ ଦୁର୍ବୃତ୍ତମାନେ ଟାଙ୍ଗଖୁଲ ନାଗା ସମ୍ପ୍ରଦାୟର ଲୋକଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

ସେହିପରି କାଙ୍ଗପୋକପି ଜିଲ୍ଲାର ମାକୁଇ ଆଶାଙ୍ଗ ଓ ତାପୋନ ଅଞ୍ଚଳରେ ଆଇଟି ରୋଡ୍‌ ନିକଟରେ ସଶସ୍ତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ମାକୁଇ ଆଶାଙ୍ଗ ଗ୍ରାମରୁ ଦୁଇ ଜଣ ନାଗା ନାଗରିକ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି। ଏହି ଘଟଣାଗୁଡ଼ିକୁ ନେଇ ଆଦିବାସୀ ଏକତା କମିଟି ଶନିବାର ସନ୍ଧ୍ୟା ୬ଟାରୁ କାଙ୍ଗପୋକପି ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି।

ଅନ୍ୟପକ୍ଷରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ସୋସିଆଲ ମିଡିଆ ‘ଏକ୍ସ’ରେ ହିଂସାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। କାମଜୋଙ୍ଗ ଜିଲ୍ଲାର ନିଙ୍ଗଚୌ ଗ୍ରାମରେ ମିଆଁମାର ଭିତ୍ତିକ ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣ କରିଥିବା ଏବଂ ସନ୍ଦୀପ ରାୟଙ୍କୁ କୁକି ରିଭୋଲ୍ୟୁସନାରୀ ଆର୍ମିର ସଦସ୍ୟମାନେ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱତନ୍ତ୍ର ସରକାରୀ ପୁଷ୍ଟି ମିଳିନାହିଁ।

କାମଜୋଙ୍ଗ ପୋଲିସ ଷ୍ଟେସନରେ ନିଆଁ ଲଗାଯାଇଥିବା ନେଇ ସୋସିଆଲ ମିଡିଆରେ ପ୍ରଚାରିତ ଦାବି ଓ ଭିଡିଓକୁ ପୋଲିସ ପ୍ରତ୍ୟାଖ୍ୟାନ କରିଛି। ରାଜ୍ୟରେ ଚାଲିଥିବା ଏହି ହିଂସା ଯୋଗୁଁ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

Show More

Related Articles

Back to top button