ନକ୍ସଲ ହୁଅନ୍ତୁ କି ବିଷ୍ଣୋଇ ଗ୍ୟାଙ୍ଗ, ଅପରାଧୀଙ୍କୁ ଛଡ଼ାଯିବନି: ଡିଜିପି

କଟକ: ନକ୍ସଲ ହୁଅନ୍ତୁ କି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଅଥବା ଅନ୍ୟ କୌଣସି ଅପରାଧୀ, ସମସ୍ତଙ୍କୁ ସେମାନଙ୍କ ଭାଷାରେ ଜବାବ ଦିଆଯିବ। ଅପରାଧ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ଓଡ଼ିଶା ପୁଲିସ ସବୁ ପ୍ରକାର ବଳିଦାନ ଦେବାକୁ ପ୍ରସ୍ତୁତ। ବୁଧବାର କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ୬୭ତମ ପୁଲିସ ସହିଦ ସ୍ମୃତି ଦିବସ ଅବସରରେ ଏପରି ଚେତାବନୀ ଦେଇଛନ୍ତି ପୁଲିସ ଡିଜି ବିନୟତୋଷ ମିଶ୍ର।
କାର୍ଯ୍ୟକ୍ରମରେ ଡିଜିପି କର୍ତ୍ତବ୍ୟ ପାଳନ ସମୟରେ ପ୍ରାଣବଳି ଦେଇଥିବା ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ତ୍ୟାଗ ଓ ସାହସକୁ ସ୍ମରଣ କରିଥିଲେ। ୧୯୫୯ ଅକ୍ଟୋବର ୨୧ରେ ଲଦାଖର ହଟ୍ ସ୍ପ୍ରିଙ୍ଗ୍ସଠାରେ ଚୀନ୍ ସୈନିକଙ୍କ ଆକ୍ରମଣରେ ୧୦ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। ସେମାନଙ୍କ ବଳିଦାନର ସ୍ମୃତିରେ ପ୍ରତିବର୍ଷ ଏହି ଦିନ ପୁଲିସ ସହିଦ ସ୍ମୃତି ଦିବସ ପାଳନ କରାଯାଏ।
ଚଳିତ ବର୍ଷ ଦେଶର ବିଭିନ୍ନ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ୧୫୪ ଜଣ ଯବାନ କର୍ତ୍ତବ୍ୟ ସମ୍ପାଦନ ସମୟରେ ସହିଦ ହୋଇଛନ୍ତି। ଓଡ଼ିଶାରେ ମାଓବାଦୀ ବିରୋଧୀ ଅଭିଯାନରେ ପ୍ରାଣ ହରାଇଥିବା ପୁଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ବଳିଦାନକୁ ମଧ୍ୟ ଡିଜିପି ସ୍ମରଣ କରିଥିଲେ।
ବର୍ତ୍ତମାନ ପୁଲିସକୁ ଆତଙ୍କବାଦ, ମାଓବାଦ, ସଂଗଠିତ ଅପରାଧ, ସାଇବର ଅପରାଧ ଓ ନିଶାଦ୍ରବ୍ୟ ଚୋରାଚାଲାଣ ଭଳି ଆହ୍ୱାନର ମୁକାବିଲା କରିବାକୁ ପଡ଼ୁଛି। ଏଥିସହ ମହିଳା ଓ ଶିଶୁଙ୍କ ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଆଇନଶୃଙ୍ଖଳା ରକ୍ଷା ମଧ୍ୟ ପୁଲିସର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଏହି ସବୁ ଆହ୍ୱାନର ମୁକାବିଲା ପାଇଁ ପୁଲିସର ଦକ୍ଷତା ବୃଦ୍ଧି, ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଓ ନିୟମିତ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଥିଲେ।


