Breaking PLUSଅପରାଧଆଇନ କାନୁନଦେଶବଲିଉଡବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟି

ଟାଇଗର ଶ୍ରଫ୍‌ଙ୍କ କାର୍‌କୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ କାର୍‌କୁ ଲକ୍ଷ୍ୟ କରି ଗୁଳିଚାଳନା ଘଟଣାରେ ତଦନ୍ତ ଜୋରଦାର ହୋଇଛି। ଏହି ମାମଲାରେ ଦିଲ୍ଲୀ ପୁଲିସର ସ୍ପେଶାଲ୍‌ ସେଲ୍‌ ଆଉ ୪ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଏହା ପୂର୍ବରୁ ମୁମ୍ବାଇ ପୁଲିସ ରାଜସ୍ଥାନର କୋଟାରୁ ତିନି ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ସୋନିପତର ଜଣେ ଏକାଦଶ ଶ୍ରେଣୀ ଛାତ୍ରଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।

ପୁଲିସ ସୂଚନା ଅନୁଯାୟୀ, ଗିରଫ ଚାରି ଜଣ ହେଲେ ହରିୟାଣାର କୁନାଲ (୨୧) ଓ ସୁମିତ (୧୯) ଏବଂ ଉତ୍ତରପ୍ରଦେଶର ରାଧା (୨୩) ଓ ବବିତା (୨୩)। ସେମାନେ ଆମେରିକାରେ ରହୁଥିବା ତଥା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସହଯୋଗୀ ବୋଲି ସନ୍ଦେହ କରାଯାଉଥିବା ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତଙ୍କ ନିର୍ଦ୍ଦେଶରେ କାମ କରୁଥିବା ଅଭିଯୋଗ ହୋଇଛି। ମୁମ୍ବାଇ ପୁଲିସ ଏହି ଚାରି ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା ପାଇଁ ତିନି ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡ ପାଇଛି।

ତଦନ୍ତ ଅନୁଯାୟୀ, କୁନାଲ ଓ ସୁମିତ ଅମୃତସରରୁ ଗୋଟିଏ ପିସ୍ତଲ ଓ ୨୦ ରାଉଣ୍ଡ ଗୁଳି ସଂଗ୍ରହ କରିଥିଲେ। ପରେ ରାଧା ଓ ବବିତାଙ୍କ ଜରିଆରେ ଅସ୍ତ୍ରଶସ୍ତ୍ର ମୁମ୍ବାଇ ପଠାଯାଇଥିବା ସନ୍ଦେହ କରୁଛି ପୁଲିସ। ଅକ୍ଟୋବର ୧୭ରେ ଦୁଇ ମହିଳା ମୁମ୍ବାଇରେ ପହଞ୍ଚିବା ପରେ ଜଣେ ନାବାଳକ ସେମାନଙ୍କଠାରୁ ବ୍ୟାଗ୍‌ ନେଇଥିବା ଅଭିଯୋଗ ହୋଇଛି। ପରଦିନ ଟାଇଗର ଶ୍ରଫ୍‌ଙ୍କ କାର୍‌କୁ ଗୁଳିମାଡ଼ ହୋଇଥିଲା।

ଅନ୍ୟପକ୍ଷରେ, ସୋନିପତର ସମୀର ନାମକ ଜଣେ ଏକାଦଶ ଶ୍ରେଣୀ ଛାତ୍ରଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସେ ଗୁଳିକାଣ୍ଡର ଅଭିଯୁକ୍ତ ରେହାନଙ୍କ ବନ୍ଧୁ ବୋଲି କୁହାଯାଉଛି। ତେବେ ସମୀରଙ୍କ ପରିବାର ତାଙ୍କୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। ସେ କିଡନୀ ରୋଗରେ ପୀଡ଼ିତ ଏବଂ ନିୟମିତ ସ୍କୁଲ ଯାଇ ଘରକୁ ଫେରୁଥିବା ପରିବାର ପକ୍ଷରୁ କୁହାଯାଇଛି। ଗୁଳିକାଣ୍ଡ ପଛରେ ଥିବା ନେଟୱାର୍କ, ଅସ୍ତ୍ରଶସ୍ତ୍ର ଯୋଗାଣ ଓ ଅଭିଯୁକ୍ତଙ୍କ ପଳାୟନରେ ସହଯୋଗ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।

Show More

Related Articles

Back to top button