ନିଯୁକ୍ତି ଓ ଦରମା ବୃଦ୍ଧି ଉପରେ ଗୁରୁତ୍ୱ ଦିଅନ୍ତୁ ଶିଳ୍ପ ସଂସ୍ଥା: ମୋଦୀ

ନୂଆଦିଲ୍ଲୀ: ଦେଶରେ ବ୍ୟବସାୟ ଓ ଶିଳ୍ପର ବିକାଶ ପାଇଁ ସରକାର କର୍ପୋରେଟ୍ ଟିକସଠାରୁ ଆରମ୍ଭ କରି ଆୟକର ପର୍ଯ୍ୟନ୍ତ ଅନେକ ପଦକ୍ଷେପ ନେଇଛନ୍ତି। ବ୍ୟବସାୟ କରିବା ପ୍ରକ୍ରିୟାକୁ ସରଳ କରିବା ସହ ବିଭିନ୍ନ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ମଧ୍ୟ କରାଯାଇଛି। ଏହାର ଲାଭ ଉଠାଇ କମ୍ପାନୀଗୁଡ଼ିକ କେବଳ ଲାଭ ବୃଦ୍ଧିରେ ସୀମିତ ନରହି ଅଧିକ ନିଯୁକ୍ତି ସୃଷ୍ଟି ଓ କର୍ମଚାରୀଙ୍କ ଦରମା ବୃଦ୍ଧି ଉପରେ ଧ୍ୟାନ ଦିଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଗୁରୁବାର ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ବାର୍ଷିକ ସାଧାରଣ ସଭା ଓ ସମ୍ମିଳନୀକୁ ସମ୍ବୋଧିତ କରି ମୋଦୀ କହିଥିଲେ, ଦେଶର ବିକାଶ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ। ଏଥିରେ ଶିଳ୍ପ ଜଗତକୁ ମଧ୍ୟ ସକ୍ରିୟ ଭାଗୀଦାର ହେବାକୁ ପଡ଼ିବ।
ଭାରତର ବଢ଼ୁଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ନେଟୱର୍କର ସୁଯୋଗକୁ ବ୍ୟବହାର କରି ବିଦେଶୀ ବଜାରରେ ବ୍ୟବସାୟ ବିସ୍ତାର ପାଇଁ କମ୍ପାନୀଗୁଡ଼ିକ ନିଜସ୍ୱ ରଣନୀତି ପ୍ରସ୍ତୁତ କରନ୍ତୁ। ପ୍ରତ୍ୟେକ ସୁଯୋଗ ଚିହ୍ନଟ କରିବାର ଦାୟିତ୍ୱ ସରକାରଙ୍କ ଉପରେ ଛାଡ଼ିଦେବା ଉଚିତ ନୁହେଁ ବୋଲି ସେ କହିଥିଲେ।
ଏଥିସହ ଭାରତୀୟ ଗ୍ରାହକଙ୍କୁ ମଧ୍ୟ ବିଦେଶରେ ବିକ୍ରି ହେଉଥିବା ସମାନ ଗୁଣବତ୍ତାର ଉତ୍ପାଦ ଯୋଗାଇବାକୁ ଶିଳ୍ପ ସଂସ୍ଥାଗୁଡ଼ିକୁ ପରାମର୍ଶ ଦେଇଥିଲେ। ରପ୍ତାନି ପାଇଁ ଉନ୍ନତ ମାନର ଏବଂ ଘରୋଇ ବଜାର ପାଇଁ ନିମ୍ନମାନର ଉତ୍ପାଦ ଯୋଗାଇବାର ମାନସିକତା ବଦଳାଇବାକୁ ସେ ଆହ୍ୱାନ ଦେଇଥିଲେ।



