
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନକଲି ପରିଚୟ ଦେଇ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବା ଅଭିଯୋଗରେ ପୁଲିସ ଜଣେ ଚାଇନା ମହିଳାଙ୍କୁ ଗିରଫ କରିଛି। ମହିଳା ଜଣକ ହେଉଛନ୍ତି କାଇ ରୁଓ ଏବଂ ତାଙ୍କ ଘର ଚାଇନାର ହାଇନାନ ପ୍ରୋଭିନ୍ସରେ ବୋଲି ସୂଚନାମିଳିଛି। ମହିଳା ଜଣକୁ ଦିଲ୍ଲୀ ପୁଲିସ ମଞ୍ଜୁ କାତିଲାରୁ ଗିରଫ କରିଛି। ମହିଳା ଜଣକ ଏଠାରେ ଜଣେ ବୌଦ୍ଧ ସନ୍ନ୍ୟାସିନୀ ଭାବେ ଡୋଲମା ଲାମା ନାମରେ ନକଲି ପରିଚୟ ଦେଇ ରହୁଥିଲେ। ମହିଳା ସ୍ୱଳ୍ପ ଜଣକ ଚୁଟି ଥିବା ବେଳେ ପାରମ୍ପରିକ ବୌଦ୍ଧ ବସ୍ତ୍ର ପରିଧାନ କରିଛନ୍ତି। ମହିଳା ଜଣକ ନିଜକୁ ନେପାଳୀ ବୋଲି ପରିଚୟ ଦେଇ ଦିଲ୍ଲୀରେ ରହୁଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନର୍ଥ କ୍ୟାମ୍ପସ ନିକଟରେ ତିବତ୍ତୀୟ ଶରଣାର୍ଥୀ କଲୋନୀ ନିକଟରେ ସେ ରହୁଥିଲେ। ସୋମବାର ଦିଲ୍ଲୀର ମଞ୍ଜୁ କାତିଲାର ଉକ୍ତ ଚୀନ ମହିଳାଙ୍କୁ ଅଟକ ରଖାଯାଇଥିଲା। ଯାଞ୍ଚ ବେଳେ ତାଙ୍କ ପାଖରୁ ଏକ ନେପାଳୀ ନାଗରିକତ୍ୱ ସାର୍ଟିଫିକେଟ୍ ମିଳିଥିଲା। ସେଥିରେ ଉଲ୍ଲେଖ ଅଛି ଯେ, ସେ ହେଉଛନ୍ତି ନେପାଳର କାଠମଣ୍ଡୁବାସିନୀ ଦୋଲ୍ମା ଲାମା। ଫରେନ୍ ରିଜିଓନାଲ୍ ରେଜିଷ୍ଟ୍ରେସନ୍ ଅଫିସ୍’ (ଏଫ୍ଆର୍ଆର୍ଓ) ସହିତ ଯୋଗାଯୋଗ କରିବା ପରେ ଗିରଫ ମହିଳାଜଣକ ଚାଇନା ନାଗରିକ ବୋଲି ଜଣାପଡ଼ି ଥିଲା। ୨୦୧୯ରେ ସେ ଜଣେ ଭାରତକୁ ଆସିଥିଲେ। ଇଣ୍ଡିଆନ୍ ପେନାଲ୍ କୋଡ୍ ଆଣ୍ଡ୍ ଫରେନ୍ ଆକ୍ଟ ଧାରା ୧୨୦ ବି, ୪୧୯, ୪୨୦, ୪୬୭ ଏବଂ ଅନ୍ୟାନ୍ୟ ଧାରା ଅନୁଯାୟୀ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଏହି ମହିଳାଙ୍କୁ ୧୪ ଦିନ ଲାଗି ପୁଲିସ ହାଜତକୁ ପଠାଇ ଦିଆଯାଇଛି।


