ଚମ୍ପୁଆ : ସାମାନ୍ୟ ବଚସାରୁ ନେଲା ଉଗ୍ରରୁପ। ଦମ୍ପତିଙ୍କୁ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗାଁରେ। ମୃତକ ହେଲେ ଲକ୍ଷ୍ମୀଧର ଆପଟ ଓ ତାଙ୍କ ପତ୍ନୀ ମଞ୍ଜୁଲତା ଆପଟ।
ଲସର୍ଦା ଗାଁରେ ଲକ୍ଷ୍ମୀଧରଙ୍କର ଏକ ଦୋକାନ ଅଛି। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ସମୟରେ କିଛି ଦୁର୍ବୃତ୍ତ ପେଟ୍ରୋଲ୍ କିଣିବାକୁ ଲକ୍ଷ୍ମୀଧରଙ୍କ ଦୋକାନଙ୍କୁ ଆସିଥିଲେ। କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ପରେ ଦୁର୍ବୃତ୍ତମାନେ ଲକ୍ଷ୍ମୀଧର ଓ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ସେଠାରୁ ଚମ୍ପଟ ମାରିଥିଲେ।। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସି ଲକ୍ଷ୍ମୀଧର ଓ ତାଙ୍କ ସ୍ତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ତେବେ ଦୁର୍ବୃତ୍ତମାନେ ଲକ୍ଷ୍ମୀଧର ଓ ତାଙ୍କ ସ୍ତ୍ରୀଙ୍କୁ କାହିଁକି ଗୁଳି କରି ହତ୍ୟା କଲେ ତାର କାରଣ ସ୍ପଷ୍ଟ ହୋଇନାହିଁ। ପୂର୍ବଶତ୍ରୃତା ଥିଲା ନା ଅନ୍ୟ କିଛି କାରଣ ଥିଲା ତାହା ମଧ୍ୟ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି।