ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତି

ଅଳପ ଦିନର ଗଳପ

ଜୟ ଜଗନ୍ନାଥ

ଅଳପ ଦିନର ଗଳପ ଆମର
ସରିଯିବ ଆଗ ଛକରେ,
ବାଟଭାଙ୍ଗି ଆମେ ଛାଡ଼ି ଚାଲିଯିବୁ
ଯେ ଯାହା ଗନ୍ତବ୍ୟ ପଥରେ(୧)

ଯାତ୍ରା ସମୟ ଟା ବହୁତ ଅଳପ
ଜଣାନାହିଁ କେବେ ସରିବ,
ରାଗ ଇର୍ଷା ଦ୍ୱେଷ ମାନ ଅପମାନ
କାହିଁକି ମନରେ ଧରିବ?(୨)

ବିଶ୍ୱାସଘାତକ ହେଲା ଯଦି କିଏ
ପୁଣି ଯେବେ କେହି ଠକିଲା ,
ମନକୁ ବୁଝାଇ ଶାନ୍ତ କରିଦେବା
ଆଉ କେଇଦିନ ରହିଲା। (୩)

ବିନା କାରଣରେ ଅପମାନ କଲେ
ଧରି ରଖିବାନି ମନରେ,
ଅଳପ ଦିନର ଯାତରା ଆମର
କାଟିଦେବା ହସ ଖୁସିରେ। (୪)

ଆକ୍ଷେପ କରି କେ କହିଦେଲେ କିଛି
ଚୁପଚାପ ଆମେ ସହିବା,
ନିର୍ବିକାର ରହି କ୍ଷମା କରିଦେବା
ଅଳପ ଦିନେ ତ ଚାଲିବା। (୫)

ଆମପାଇଁ କେହି ସମସ୍ୟା ଆଣିଲେ
କିଛି ଭାବିବାନି ମନରେ,
ସମସ୍ୟା ହଜିବ କୁହୁଡି ପରାଏ
ଅପସରି ଯିବ ଆପେରେ। (୬)

ବନ୍ଧୁ ବାନ୍ଧବ ଙ୍କୁ ସମ୍ମାନ କରିବା
ସହଯୋଗ ଆମେ କରିବା,
ଦୟା କ୍ଷମା ପ୍ରେମ ହୃଦରେ ବହିବା
ଆନନ୍ଦରେ ଦିନ କାଟିବା। (୭)

ରାଗ ଅଭିମାନ କରିବାନି ଆମେ
କାମନାକୁ ଦେବା ଦୂରେଇ,
କିଏ ଜାଣେ କେବେ ଯାତ୍ରା ଶେଷହେବ
ଚାଲିଯିବା ବାଟ ବୁଲେଇ। (୮)

ଭଲଭାବେ ସବୁ ଗ୍ରହଣ କରିଲେ
ସନ୍ତୋଷ ଆସିବ ମନରେ,
ସନ୍ତୁଷ୍ଟି ସହିତ ଶାନ୍ତି ଖୁସି ମିଳେ
ହସ ଝରୁଥାଏ ଓଠରେ। (୯)

ଅଳପ ଦିନର ଗଳପ ଆମର
ସରିଯିବ କେଉଁ କ୍ଷଣରେ,
ଉପଭୋଗ କରି ପ୍ରତିଟି ମୁହୁର୍ତ୍ତ
ଚାଲିଯିବା ହସ ଖୁସିରେ। (୧୦)

ଜୟ ଜଗନ୍ନାଥ।

Show More

Related Articles

Back to top button