
ରାଞ୍ଚି: ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍ ଯାଉଥିବା ସମୟରେ ବ୍ରିଜ୍ ତଳକୁ ଖସି ପଡ଼ିଛି। ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ପ୍ରାୟ ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ଝାଡଖଣ୍ଡର ହଜାରିବାଗ ଜିଲ୍ଲାରେ ଏହିଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏସପି ମନୋଜ ରତନ ଛୋଟେ କହିଛନ୍ତି ଯେ ବସ୍ଟି ଯାତ୍ରୀଙ୍କୁ ଧରି ଗିରିଧି ଜିଲ୍ଲାରୁ ଆସୁଥିଲା। କିନ୍ତୁ ତାତିଝରିଆ ପୁଲିସ୍ ଷ୍ଟେସନ ଅଧୀନରେ ଥିବା ସିୱାନେ ନଦୀର ବ୍ରିଜ୍ ଅତିକ୍ରମ କରୁଥିବା ସମୟରେ ବସ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ ବସ୍ଟି ବ୍ରିଜ୍ରେ ଲାଗିଥିବା ଲୁହା ରେଲିଂରେ ପିଟି ହୋଇ ସିଧା ତଳକୁ ଖସି ପଡ଼ିଥିଲା। ତେବେ ବସ୍ଟି ନଦୀ ଭିତରେ ନପଡି ଶୁଖିଲା ସ୍ଥାନରେ ପଡ଼ିଥିଲା। ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣ ପ୍ରାଣ ହରାଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ସଙ୍କାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ମଧ୍ୟ ରହିଛି। ଦୁର୍ଘଟଣାରେ ବସ୍ଟି ପୂରା ଛିନଛତ୍ର ହୋଇ ଯାଇଛି। ଏହା ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବେଶ କିଛି ସମୟ ପରିଶ୍ରମ କରିବାକୁ ପଡ଼ିଥିଲା। ସେହିପରି ବସ୍ଟି ଯଦି ନଦୀକୁ ଖସି ପଡ଼ିଥାଆନ୍ତା, ତା’ହେଲେ ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥାଆନ୍ତା। ବର୍ତ୍ତମାନ ପୁଲିସ୍ ମାମଲା ରୁଜୁ କରିବା ସହ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ତା’ର ତଦନ୍ତ କରୁଛି। ଜଣେ ଡିସିପି ପ୍ୟାହାର ଅଫିଟସର ଓ ୩ଟି ଥାନର ଇନଚାର୍ଜଙ୍କ ନେତୃତ୍ୱରେ ଉଦ୍ଧାର ଓ ତଦନ୍ତ କରାଯାଉଥିବା ଏସ୍ପି ମନୋଜ ସୂଚନା ଦେଇଛନ୍ତି।