ଅଟୋକୁ ଧକ୍କା ଦେଲା ଏକ କୋଇଲା ବୋଝେଇ ଟ୍ରକ୍ : ୫ ମୃତ

କାମାକ୍ଷାନଗର : ଆଜି ଭୋରୁ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ ହୋଇଛି । ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପଥରଖମ୍ବ ଛକ ନିକଟରେ। ଆଜି ପ୍ରାୟ ଭୋର ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ମୃତକମାନେ ହେଉଛନ୍ତି, ଅନନ୍ତ ସାମଲ ,ପ୍ରହ୍ଲାଦ ସାମଲ, ଆଦିକନ୍ଧ ସାମଲ, ଅଙ୍କୁର ସାମଲ ଓ ତାଙ୍କ ୧୩ ବର୍ଷର ପୁଅ ଦିବ୍ୟରଞ୍ଜନ ସାମଲ। ଟୋଲ (ମହୁଲ ଫଳ) ପେଡ଼ିବା ପାଇଁ ଆଜି ଏମାନେ ସମସ୍ତେ ଅଟୋ ଯୋଗେ ୫୩ ନମ୍ବର ଜାତୀୟ ରାଜପଥରେ ମୁକ୍ତାପଶି ଅଭିମୁଖେ ଯାଉଥିବା ସମୟରେ ପଥରଖମ୍ବ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କାରେ ଅଟୋଟି ପୂରା ଚୂରମାର ହୋଇଯାଇଛି।ଅଟୋରେ ୫ ଜଣ ଥିବା ବେଳେ ସମସ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଭଙ୍ଗାରୁଜା କରିଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।