
ବାରିପଦା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀଙ୍କ ଘରେ ନିଆଁ ଲଗାଇଦେଲେ ଯୁବକ। ଘରେ ଶୋଇଥିବା ବେଳେ ନିଆଁ ଲାଗିବା ଫଳରେ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି ସ୍ୱାମୀ ଏବଂ ସ୍ତ୍ରୀ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନୂଆସାହି ଗ୍ରାମରେ । ନୂଆସାହି ଗ୍ରାମର ଅର୍ଜୁନ ଦଣ୍ଡପାଟଙ୍କର ପଡୋଶୀ ବିଶିକେଶନ ଭୂୟାଁଙ୍କ ସହିତ ପୂର୍ବ ଶତ୍ରୁତା ରହିଥିଲା । ତେବେ ଗତକାଲି ଅର୍ଜୁନ ଏବଂ ତାଙ୍କ ସ୍ତ୍ରୀ ଘରେ ଶୋଇଥିବା ଅବସ୍ଥାରେ ପଡୋଶୀ ବିଶିକେଶନ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ନିଆଁରେ ଘର ଜଳିଯିବା ସହିତ ନିଆଁରେ ପୋଡି ହୋଇ ଅର୍ଜୁନ ଏବଂ ତାଙ୍କ ସ୍ତ୍ରୀ ସୁମତି ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଏକ ନାରକୀୟ କାଣ୍ଡ ଯୁବକ ଭିଆଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ କପ୍ତିପଦା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।