Breaking PLUSଅପରାଧଆଇନ କାନୁନ

ସାଙ୍ଗ ବାହାଘରରେ ଯାଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗ ବାହାଘରକୁ ବରଯାତ୍ରୀ ହୋଇ ଯାଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ବିଳମ୍ବିତ ରାତିରେ ବିଜେ ଗଙ୍ଗାଧରପୁର ଗାଁ ତାରିଣୀ ଛକରେ ସାମାନ୍ୟ ଗଣ୍ଡଗୋଳରୁ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏନେଇ ମୃତକଙ୍କ ବଡ଼ଭାଇ ମଧୁସୂଦନ ମାଝୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଣେ ଅଭିଯୁକ୍ତ ଫେରାର ହୋଇଯାଇଥିବାର ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ଗତକାଲି ବିଦ୍ୟାଧର ମାଝୀ ଭଦ୍ରକକୁ ନିଜ ସାଙ୍ଗର ବାହାଘରରେ ବରଯାତ୍ରୀ ଭାବେ ଯାଇଥିଲେ। ବିଜେଗଙ୍ଗାଧରପୁର ଗାଁ ତାରିଣୀ ଛକରେ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ହଠାତ୍ ‌ଆଦିତ୍ୟ ରାଉତ ନାମକ ଜଣେ ଯୁବକ ବିଦ୍ୟାଧରଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ମାରିଦେବାର ଧମକ ବି ଦେଇଥିଲେ। ‌ଏହାପରେ ‌ଆଦିତ୍ୟ ଏକ ଶକ୍ତ ବାଉଁଶରେ ବିଦ୍ୟାଧରଙ୍କ କର୍ଣ୍ଣମୂଳିକୁ ଜୋରରେ ପିଟିଥିଲେ। ଏହାଫଳରେ ବିଦ୍ୟାଧର ତଳେ ପଡ଼ିଯାଇଥିଲେ। ଏତିକିରେ ତାଙ୍କର ରାଗ ଶାନ୍ତ ହୋଇନଥିଲା। ତାପରେ ଆଦିତ୍ୟ ବିଦ୍ୟାଧରଙ୍କୁ ଆଉ ୪/୫ ଥର ବାଉଁଶରେ ପିଟିଥିଲେ। ସେଠାରେ ଥିବା ଅନ୍ୟ ବରଯାତ୍ରୀମାନେ ଏହାକୁ ବିରୋଧ କରିଥିଲେ, ମାତ୍ର ଆଦିତ୍ୟ ସେମାନଙ୍କୁ ନାଲି ଆଖି ଦେଖାଇଥିଲେ। ଏହାପରେ ବିଦ୍ୟାଧରଙ୍କୁ ରାତିରେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ମାମଲାର ତଦନ୍ତ କରୁଥିବାବେଳେ ଫେରାର ଅଭିଯୁକ୍ତକୁ ଧରିବା ଲାଗି ଚେଷ୍ଟା ଚଳାଇଛି।

Show More

Related Articles

Back to top button