ଆରପାରିରେ ଅଭିନେତା ବିରାଜ ଦାଶ

ଭୁବନେଶ୍ୱର: ଆରପାରିରେ ଅଭିନେତା ବିରାଜ ଦାଶ । ଗତ ମଙ୍ଗଳବାର ଦିନ ଓଡ଼ିଆ ଅଭିନେତା ବିରାଜ ଦାଶଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ ଗତ ୪ ମାସ ହେବ କର୍କଟ ରୋଗରେ ପୀଡିତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏନେଇ ତାଙ୍କ ସାନ ପୁଅ ଅର୍ଣ୍ଣବ ଦାସ ସୂଚନା ଦେଇଛନ୍ତି। ତାଙ୍କ ଦେହାନ୍ତ ପରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।
ବିରାଜ ୧୯୫୯ ଜୁନ୍ ୧୫ରେ ଜନ୍ମ ଗ୍ରହଣ କରିଥିଲେ । ନିଜ ପରିବାର ସହ କଟକ ତୁଳସୀପୁରରେ ରହୁଥିଲେ। ‘ବଗୁଲା ବଗୁଲୀ’ ଫିଲ୍ମରୁ ସେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୫ ରେ ଭାଇ ମୋର ଜଗା ଏବଂ ୧୯୯୯ ରେ ପ୍ରେମ ବନ୍ଧନ ଭଳି ସୁପରହିଟ୍ ସିନେମାରେ ସେ ଅଭିନୟ କରିଥଲେ । ତାଙ୍କର ଅନ୍ୟ ସିନେମା ଥିଲା ଯା ଦେବୀ ସର୍ବ ଭୂତେଷୁ, ମା ପରି କିଏ ହେବ, ଗୋଲାମ୍ ଗିରି, ପୁଅ ଭାଙ୍ଗିଦେଲା ସୁନା ସଂସାର ।
ସେହିପରି ଦୂରଦର୍ଶନରେ ପ୍ରସାରିତ ଟେଲି ଫିଲ୍ମ ‘ତମସା ତୀରେ’ ଓ ‘ଡାକ ମୁନ୍ସୀ’ ତାଙ୍କୁ ଭିନ୍ନ ସଫଳତା ଦେଇଥିଲା। ସେହିଭଳି ଧାରାବାହିକ ‘ଦୁନିଆ’ ତାଙ୍କୁ ନୂଆ ପରିଚୟ ଦେଇଥିଲା । ସିନେମା ବ୍ୟାତୀତ ଦୂରଦର୍ଶନ, ଅଲ୍ ଇଣ୍ଡିଆ ରେଡ଼ିଓ, ପାଲା, ନାଟକ ଆଦିରେ ସେ ନିଜର ଛାପ ଛାଡ଼ି ଯାଇଛନ୍ତି। କମେଡ଼ିରୁ ଆରମ୍ଭ କରି ସିନେମାରେ ବିଭିନ୍ନ ଭୂମିକାରେ ସେ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ। ସେ ସ୍କ୍ରିପ୍ଟ ମଧ୍ୟ ଲେଖୁଥିଲେ।