ରାହୁଲଙ୍କ ପରେ ସୋନିଆଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ରାହୁଲଙ୍କ ପରେ ଏବେ ସୋନିଆଙ୍କ ପାଳି । କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଜୁଲାଇ ୨୧ରେ ନ୍ୟାସନାଲ ହେରାଲ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡିରେ ହାଜରେ ହେବେ । ଏହି ଘଟଣାରେ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଲଗାତାର ତିନି ଦିନ ପର୍ଯ୍ୟନ୍ତ ଜେରା କରାଯାଇଥିଲା ।ପ୍ରଥମ ଦିନ ୧୦ ଘଣ୍ଟାର ମାରାଥନ ଜେରା ପରେ ବି ବାରମ୍ବାର ତାଙ୍କୁ ହାଜର ହେବାକୁ କୁହାଯାଇଥିଲା । ତେବେ ଏଥିପାଇଁ ଦେଶର ସବୁ ଇଡି ଅଫିସରେ କଂଗ୍ରେସ ଦଳର ପ୍ରତିବାଦ, ବିକ୍ଷୋଭ ଦେଖିବାକୁ ମିଳିଥିଲା । ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ ମନି ଲଣ୍ଡ୍ରିଂ ମାମଲାରେ ରାହୁଲ ଙ୍କୁ ଇଡି ସମନ୍ ଓ ଜେରାକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଥିଲା । ନ୍ୟାସନାଲ୍ ହେରାଲ ଖବରକାଗଜ ସଂସ୍ଥାକୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଠାରୁ କିଣିଥିବା କଂପାନୀ ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡର ବୋର୍ଡ ଅଫ୍ ଡିରେକଫର୍ସ ଅଛନ୍ତି ସୋନିଆ ଓ ରାହୁଲ । ତେଣୁ ଏହି ମାମଲାରେ ଉଭୟଙ୍କ ସଂପୃକ୍ତି ସନ୍ଦେହ ଘେରରେ ଥିବାରୁ ସମନ୍ ପାଇଁ ଇଡି ଅଫିସରେ ପହଞ୍ଚିଥିଲେ ରାହୁଲ । ଏହା ପରେ ଏବେ ପାଳି ପଡିଛି ସୋନିଆ ଗାନ୍ଧିଙ୍କର । ପ୍ରଥମେ ରାହୁଲଙ୍କ ସମନରେ ହେଇଥିବା ଡ୍ରାମା ଏବେ ପୁଣି ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।