ଚିନି ପରେ ପିଆଜ ଦରରେ ଝଟକା, ଭୁବନେଶ୍ୱରରେ କିଲୋ ୬୦ ଟଙ୍କା

ଭୁବନେଶ୍ୱର: ଚିନି ଦର ବୃଦ୍ଧି ପରେ ଏବେ ରୋଷେଇ ଘରର ଚିନ୍ତା ବଢ଼ାଇଛି ପିଆଜ। ଦେଶର ବିଭିନ୍ନ ସହରରେ ଗତ କିଛି ସପ୍ତାହ ମଧ୍ୟରେ ପିଆଜ ଦର ଦ୍ରୁତଗତିରେ ବଢ଼ିଛି। ମାସକ ମଧ୍ୟରେ ଦର ପ୍ରାୟ ୧୯ ପ୍ରତିଶତ ବଢ଼ି ହାରାହାରି କିଲୋପ୍ରତି ୪୫ ଟଙ୍କାରେ ପହଞ୍ଚିଛି। ଗତବର୍ଷର ଏହି ସମୟ ତୁଳନାରେ ଏହା ପ୍ରାୟ ୪୫ ପ୍ରତିଶତ ଅଧିକ।
ସରକାରୀ ତଥ୍ୟ ଅନୁସାରେ, ଦିଲ୍ଲୀରେ ପିଆଜ ଦର କିଲୋପ୍ରତି ୬୫ ଟଙ୍କା ଛୁଇଁଛି। ଗତବର୍ଷ ଏହି ସମୟରେ ଦିଲ୍ଲୀରେ ପିଆଜ ପ୍ରାୟ ୩୫ ଟଙ୍କାରେ ବିକ୍ରି ହେଉଥିଲା। ଚେନ୍ନାଇରେ ମଧ୍ୟ ଦର ୩୩ ଟଙ୍କାରୁ ବଢ଼ି ୫୮ ଟଙ୍କାରେ ପହଞ୍ଚିଛି। କେରଳ ଓ ଆସାମର କିଛି ଅଞ୍ଚଳରେ ମଧ୍ୟ ଦର ଜାତୀୟ ହାରଠାରୁ ଅଧିକ ରହିଛି।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପିଆଜ ଦର ଉପରମୁହାଁ ହୋଇଛି। ଚଳିତ ସପ୍ତାହରେ କିଲୋପ୍ରତି ଦର ପ୍ରାୟ ୨୦ ଟଙ୍କା ବଢ଼ିଛି। ଦୁଇ ମାସ ମଧ୍ୟରେ କୁଇଣ୍ଟାଲ ପିଛା ଦର ୨,୨୦୦ ଟଙ୍କାରୁ ବଢ଼ି ପ୍ରାୟ ୩,୫୦୦ ଟଙ୍କା ହୋଇଛି। ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶିଲେ ଏହା ପ୍ରାୟ ୪,୦୦୦ ଟଙ୍କାରେ ପହଞ୍ଚୁଛି। ଫଳରେ ରାଜଧାନୀର ହାଟରେ ପିଆଜ ୪୦ରୁ ୫୦ ଟଙ୍କା ଏବଂ ଖୁଚୁରା ବଜାରରେ ପ୍ରାୟ ୬୦ ଟଙ୍କା କିଲୋରେ ବିକ୍ରି ହେଉଛି।
ନାସିକରେ ବନ୍ୟା, ଯୋଗାଣ ବାଧାପ୍ରାପ୍ତ
ପିଆଜ ଦର ବୃଦ୍ଧି ପଛରେ ଯୋଗାଣ ବ୍ୟବସ୍ଥାରେ ବାଧା ମଧ୍ୟ ଏକ ପ୍ରମୁଖ କାରଣ ପାଲଟିଛି। ବନ୍ୟା ଯୋଗୁ ନାସିକ ଓ ବେଙ୍ଗାଲୁରୁରୁ ନିୟମିତ ଭାବେ ପିଆଜ ଆସିପାରୁନାହିଁ। ବିଶେଷକରି ମହାରାଷ୍ଟ୍ରର ନାସିକରେ ବନ୍ୟା ଯୋଗୁ ହଜାର ହଜାର ଏକର ପିଆଜ ଚାଷ ନଷ୍ଟ ହୋଇଥିବାରୁ ଯୋଗାଣ ଉପରେ ଏହାର ପ୍ରଭାବ ପଡ଼ିଛି।
ଓଡ଼ିଶା ପିଆଜ ପାଇଁ ମୁଖ୍ୟତଃ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ରାଜ୍ୟର ବାର୍ଷିକ ଆବଶ୍ୟକତା ପ୍ରାୟ ୬ ଲକ୍ଷ ଟନ୍ ହୋଇଥିବାବେଳେ ସ୍ଥାନୀୟ ଉତ୍ପାଦନ ତାହା ତୁଳନାରେ ନଗଣ୍ୟ। ନାସିକରୁ ବର୍ଷକୁ ପ୍ରାୟ ୫ ଲକ୍ଷ ଟନ୍ ପିଆଜ ଓଡ଼ିଶାକୁ ଆସୁଥିବାବେଳେ ମଧ୍ୟପ୍ରଦେଶର ଇନ୍ଦୋରରୁ ମଧ୍ୟ ଯୋଗାଣ ହୋଇଥାଏ। ରାଜ୍ୟକୁ ପ୍ରତିଦିନ ପ୍ରାୟ ୩,୦୦୦ ଟନ୍ ଏବଂ ଭୁବନେଶ୍ୱରକୁ ପ୍ରାୟ ୨୦୦ ଟନ୍ ପିଆଜ ଆସୁଥିବା କୁହାଯାଉଛି।
‘କାନ୍ଦା ଏକ୍ସପ୍ରେସ୍’ରେ ଯୋଗାଣ ବଢ଼ାଇବ ସରକାର
ଦର ବୃଦ୍ଧି ରୋକିବାକୁ କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ନେଇଛନ୍ତି। ନାସିକରୁ ‘କାନ୍ଦା ଏକ୍ସପ୍ରେସ୍’ ଜରିଆରେ ଅଧିକ ପରିମାଣର ପିଆଜ ବିଭିନ୍ନ ସହରକୁ ପଠାଇବା ବ୍ୟବସ୍ଥା କରାଯାଉଛି। ଯେଉଁ ଅଞ୍ଚଳରେ ଦର ଅଧିକ ରହିଛି, ସେଠାରେ ଯୋଗାଣ ବଢ଼ାଇ ଦର ନିୟନ୍ତ୍ରଣ କରିବା ସରକାରଙ୍କ ଲକ୍ଷ୍ୟ।
ସରକାରଙ୍କ ଆକଳନ ଅନୁସାରେ, ଆଗାମୀ କିଛି ମାସର ଚାହିଦା ପୂରଣ ପାଇଁ ପିଆଜର ଯଥେଷ୍ଟ ଷ୍ଟକ୍ ରହିଛି। ୨୦୨୫-୨୬ ଫସଲ ବର୍ଷରେ ଦେଶରେ ପ୍ରାୟ ୩୦୭ ଲକ୍ଷ ଟନ୍ ପିଆଜ ଉତ୍ପାଦନ ହେବାର ଆକଳନ ରହିଛି। ତେବେ ମହାରାଷ୍ଟ୍ରରେ ଖରିଫ୍ ପିଆଜ ଉତ୍ପାଦନ ୫ରୁ ୭ ପ୍ରତିଶତ କମିବା ଆଶଙ୍କା ଥିବାରୁ ଆଗାମୀ ଦିନରେ ଦର କେଉଁ ଦିଗକୁ ଯିବ, ତାହା ଉପରେ ନଜର ରହିଛି।



