Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ପାର୍ବଣ ପୂର୍ବରୁ ନକଲି ଛେନା-ପନିର ଉପରେ ଚଢ଼ାଉ, ଭୁବନେଶ୍ୱରରେ ବଢ଼ିଲା ଯାଞ୍ଚ

ଭୁବନେଶ୍ୱର: ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ମିଠା ବଜାରରେ ଚାହିଦା ବଢ଼ିଛି। ଏହାର ସୁଯୋଗ ନେଇ ନକଲି ଛେନା, ପନିର ଓ ଅନ୍ୟ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ହେବାର ଆଶଙ୍କା ମଧ୍ୟ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ମିଠା ଦୋକାନ ଓ ଖାଦ୍ୟ ପ୍ରତିଷ୍ଠାନରେ ଯାଞ୍ଚ ଜୋରଦାର କରାଯାଇଛି।

ରାଖୀ ପୂର୍ଣ୍ଣିମା ପୂର୍ବରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍‌ ଚଢ଼ାଉ କରି ସନ୍ଦେହଜନକ ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରୁଛନ୍ତି। ଏହି ନମୁନାକୁ ପରୀକ୍ଷା ପାଇଁ ଲାବୋରେଟୋରିକୁ ପଠାଯାଉଛି। ନକଲି ପନିର ଓ ଛେନାର ଉତ୍ପାଦନ, ଗଚ୍ଛିତ ରଖିବା ଏବଂ ବିକ୍ରି ଉପରେ ବିଶେଷ ନଜର ରହିଛି।

ସ୍ୱାସ୍ଥ୍ୟ ବିଭାଗ ପାଖରେ ନକଲି ପନିର ସମ୍ପର୍କରେ ପୂର୍ବରୁ ସୂଚନା ଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଗତ ୭ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ଓ ଚଢ଼ାଉ ଚାଲିଛି। ବିଶେଷ କରି ନକଲି ପନିର ସହ ଅନ୍ୟ ଅପମିଶ୍ରିତ ଖାଦ୍ୟର ଉତ୍ପାଦନ ଓ ବଜାରରେ ବିକ୍ରି ଉପରେ ନଜର ରଖାଯାଉଛି।

ନିୟମ ଉଲ୍ଲଂଘନ କରି ନକଲି କିମ୍ବା ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ପାର୍ବଣ ସମୟରେ ଖାଦ୍ୟର ଚାହିଦା ବଢ଼ୁଥିବାରୁ ଆଗାମୀ ଦିନରେ ଯାଞ୍ଚକୁ ଆହୁରି ବ୍ୟାପକ କରାଯିବା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, ଖାଦ୍ୟ କିଣିବା ସମୟରେ ଗ୍ରାହକଙ୍କୁ ମଧ୍ୟ ସତର୍କ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ୟାକେଟ୍‌ ଖାଦ୍ୟ କିଣିବା ପୂର୍ବରୁ ଉତ୍ପାଦନ ତାରିଖ, ମିଆଦ ତାରିଖ, ଲେବଲ୍‌ ଓ ଖାଦ୍ୟର ମାନ ସମ୍ପର୍କିତ ତଥ୍ୟ ଯାଞ୍ଚ କରିବାକୁ କୁହାଯାଇଛି। ଏଭଳି ଯାଞ୍ଚ ଦ୍ୱାରା ପାର୍ବଣ ସମୟରେ ଅପମିଶ୍ରିତ ଖାଦ୍ୟ ବିକ୍ରି ଉପରେ ରୋକ ଲଗାଇବା ସହ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଅଧିକ ମଜବୁତ କରିବା ଲକ୍ଷ୍ୟ ରହିଛି।

Show More

Related Articles

Back to top button