ପାକିସ୍ତାନରେ ପୁଣି ବଢିଲା ପେଟ୍ରୋଲ ରେଟ୍, ପେଟ୍ରୋଲ ଲିଟର 331 ଟଙ୍କା ଟପିଲା
ଇସଲମାବାଦ: ପାକିସ୍ତାନରେ ହାହାକାର ପରିସ୍ଥିତି । ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ । ଲୋକଙ୍କ ଅଣ୍ଟା ଭାଙ୍ଗୁଛି ମହଙ୍ଗା ଦର । ଶୁକ୍ରବାର ଦିନ ସମୀକ୍ଷାରେ ପେଟ୍ରୋଲ ମୂଲ୍ୟରେ 26ଟଙ୍କା, ଡିଜେଲ ମୂଲ୍ୟରେ 17 ଟଙ୍କା ବୃଦ୍ଧି କରିଛନ୍ତି କାର୍ଯ୍ୟକାରୀ ସରକାର । ଶନିବାରରୁ ଏହି ନୂଆ ମୂଲ୍ୟ ଲାଗୁ କରାଯାଇଛି ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟସ ମୁତାବକ, ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଅନୁସାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 26.02 ଟଙ୍କା ଏବଂ ହାଇସ୍ପିଡ ଡିଜେଲ ମୂଲ୍ୟରେ 17.34 ଟଙ୍କା ବୃଦ୍ଧି କରାଯାଇଛି । ଏବେ ପାକିସ୍ତାନରେ ଏକ ଲିଟର ପେଟ୍ରୋଲ ମୂଲ୍ୟ 331.38ଟଙ୍କା ଛୁଇଁଥିବା ବେଳେ ଏଚଏସଡି ଲିଟର ପିଛା 329.18 ଟଙ୍କା ହୋଇଛି ।
ସ୍ଥାନୀୟ ମିଡିଆ ରିପୋର୍ଟସ ମୁତାବକ ପାକିସ୍ତାନରେ ଗୋଟିଏ ମାସ ଭିତରେ ଦ୍ୱିତୀୟ ଥର ପାଇଁ ପେଟ୍ରୋଲ ଦର ବଢିଛି । ଏହାପୂର୍ବରୁ ସେପ୍ଟେମ୍ବର 1 ତାରିଖରେ ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ 14ଟଙ୍କାରୁ ଅଧିକ ବୃଦ୍ଧି କରିଥିଲେ ।