ଆଫଗାନିସ୍ତାନରେ ଡ୍ରୋନ୍ ଆକ୍ରମଣରେ ଅଲକାଏଦାର ମୁଖ୍ୟ ଅଲ ଜାୱାହିରି ନିହତ

ୱାଶିଂଟନ୍ : ଆଫଗାନିସ୍ତାନରେ ଡ୍ରୋନ୍ ମାଡରେ ଅଲ କାଏଦାର ମୁଖ୍ୟ ଆୟମାନ ଅଲ-ଜବାହିରି ନିହତ ହୋଇଛନ୍ତି । ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ ଏହି ଖବରକୁ ନିଶ୍ଚିତ କରିଛନ୍ତି । ତାଲିବାନ ଟ୍ୱିଟ କରି ଲେଖିଛି ଯେ 31 ଜୁଲାଇରେ କାବୁଲ ସହରର ଶେରପୁର ଅଞ୍ଚଳରେ ଥିବା ଏକ ଘର ଉପରେ ଏୟାର ଷ୍ଟ୍ରାଇକ ହୋଇଥିଲା । ପ୍ରାରମ୍ଭରେ, ଆକ୍ରମଣର ପ୍ରକୃତି କ’ଣ ତାହା ସ୍ପଷ୍ଟ ହୋଇନଥିଲା, ପ୍ରାଥମିକ ତଥ୍ୟରୁ ଜଣାପଡିଛି ଯେ ଏହି ଷ୍ଟ୍ରାଇକ୍ ଆମେରିକୀୟ ଡ୍ରୋନ୍ ଦ୍ୱାରା କରାଯାଇଥିଲା । ମୁଜାହିଦ୍ କହିଛନ୍ତି ଯେ ଆଫଗାନିସ୍ତାନର ଇସଲାମିକ୍ ଏମିରେଟ୍ସ ଉପରେ ହୋଇଥିବା ଏହି ଆକ୍ରମଣକୁ ଆମେ ଦୃଢ ନିନ୍ଦା କରୁଛୁ, ଏହା ଅନ୍ତର୍ଜାତୀୟ ନୀତି ଏବଂ ଦୋହା ଚୁକ୍ତିର ସିଧାସଳଖ ଉଲ୍ଲଂଘନ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଅଲ-ଜୱାହିରି ମୃତ୍ୟୁକୁ ନିଶ୍ଚିତ କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଡେନ କହିଛନ୍ତି ଯେ କାବୁଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଅଲ-କାଏଦାର ନେତା ଆୟମାନ ଅଲ-ଜାୱାହିରି ନିହତ ହୋଇଛି । ଯେତେ ସମୟ ଲାଗୁ ନା କାହିଁକି, ନ୍ୟାୟ ପ୍ରଦାନ କରାଯିବ । ତୁମେ ଯେଉଁଠାରେ ଲୁଚିଲେ ମଧ୍ୟ, ଯଦି ତୁମେ ଆମ ଲୋକଙ୍କ ପାଇଁ ବିପଦ ତେବେ ଆମେରିକା ତୁମକୁ ଖୋଜିବ ଏବଂ ତୁମକୁ ହଟାଇବ । ଆୟମାନକୁ ଧରାଇଦେଲେ ବା ତା’ ବିଷୟରେ ସୂଚନା ଦେଲେ 25 ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ସେ ଆଫଗାନିସ୍ତାନରେ ଥିବା ତଥା ସେଠାରେ ରହି ଅଲକାଏଦା ସଂଗଠନକୁ ମଜବୁତ କରୁଥିବା ଜଣାପଡିବା ପରେ ଆମେରିକା ପକ୍ଷରୁ ଅଲକାଏଦାର ଆତଙ୍କବାଦୀମାନଙ୍କୁ ଦମନ ପାଇଁ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ନେତୃତ୍ୱରେ ରବିବାରଠାରୁ ଆଫଗାନିସ୍ତାନର ରାଜଧାନୀ କାବୁଲର ସେରପୁର ଅଞ୍ଚଳରେ ଡ୍ରୋନ ଷ୍ଟ୍ରାଇକ ଅଭିଯାନ ଆରମ୍ଭ କରାଯାଇଥିଲା ।


