ବାଧ୍ୟତାମୂଳକ ହେଲା ରାଜଧାନୀର ସମସ୍ତ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ପରିଧାନ

ଭୁବନେଶ୍ୱର : ରାଜ୍ୟରେ ପୁଣି ଲେଉଟିଛି କରୋନା । ଦୈନିକ ସଂକ୍ରମଣ ୫୦୦ ଟପିଲାଣି । ଏହାକୁ ଦୃଷ୍ଟିରେ ରଖି କରୋନା କଟକଣାକୁ କଡାକଡି କରିବା ସହ ରାଜଧାନୀର ସମସ୍ତ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି ।
ଛାତ୍ରଛାତ୍ରୀଙ୍କୁ ଥଣ୍ଡା, ଜ୍ବର, କାଶ ହେଉଥିଲେ ସ୍କୁଲ ମଧ୍ୟକୁ ପ୍ରବେଶ କରିବା ପାଇଁ ବାରଣ ରହିଛି । ସେହିପରି ପିଲାମାନେ ଯେପରି କ୍ୟାମ୍ପସରେ କଟକଣାକୁ ଠିକ୍ ଭାବେ ପାଳନ କରନ୍ତି ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ତାହାକୁ ସୁନିଶ୍ଚିତ କରାଇବେ।
ପିଲାମାନଙ୍କ ପ୍ରବେଶ ପଥରେ ହାତ ଧୋଇବା ପାଇଁ ସାନିଟାଇଜର୍ ବ୍ୟବସ୍ଥା କରାଯିବ। ଏଥିସହ ପିଲାଙ୍କ ଶତ ପ୍ରତିଶତ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଇଛି। ଆବଶ୍ୟକୀୟ ହେଲେ ସ୍କୁଲ କ୍ୟାମ୍ପସରେ ସ୍ବତନ୍ତ୍ର କ୍ୟାମ୍ପ ଆୟୋଜନ କରିବାକୁ ଭୁବନେଶ୍ବର ମହାନଗର ନିଗମ ଅଧିକାରୀ, ଗଣଶିକ୍ଷା ବିଭାଗ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ବିଏମସି କାର୍ଯ୍ୟାଳୟରେ ବସିଥିବା ବୈଠକରେ ସ୍ଥିର ହୋଇଛି। ସ୍କୁଲଗୁଡ଼ିକ ଆସନ୍ତା ତିନି ଦିନ ମଧ୍ୟରେ ପିଲାଙ୍କ ଟିକାକରଣ ନେଇ ନିର୍ଦ୍ଧାରିତ ପୋର୍ଟାଲରେ ବିଇଓଙ୍କ ମାର୍ଫତରେ ବିଏମସି ନିକଟରେ ରିପୋର୍ଟ ଦାଖଲ କରିବେ।