
ବୌଦ୍ଧ : ପୁଣି ଅସମ୍ମାନିତ କରାଯାଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ। ଏଥର କିନ୍ତୁ କୌଣସି ବ୍ୟକ୍ତି ବିଶେଷ ନୁହଁନ୍ତି, ବରଂ ଖୋଦ୍ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କୁ ଅସମ୍ମାନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏହିଭଳି ଏକ ଅଭାବନୀୟ ଘଟଣା। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାରେ ବାହାରେ ଗୋଟିଏ କୋଣରେ ପଡ଼ିରହିଛି ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି। ଅନ୍ୟାନ୍ୟ ଅଦରକାରୀ ଜିନିଷକୁ ଫିଙ୍ଗିଲା ଭଳି ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ମଧ୍ୟ ଛାତ ଉପରେ ରଖି ଦିଆଯାଇଛି। ସୋଲରେ ପ୍ରସ୍ତୁତ ହୋଇଥିବା ଜଗନ୍ନାଥଙ୍କ ଏହି ମୂର୍ତ୍ତିଟିର କିଛି ଅଂଶ ନଷ୍ଟ ମଧ୍ୟ ହୋଇଯାଇଛି। ସୂଚନାଅନୁସାରେ, କିଛି ଦିନ ପୂର୍ବେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଥିବାର ଚିତ୍ର ସାମ୍ନାକୁ ଆସିଥିଲା। ଏକ ଟେଣ୍ଟ ହାଉସ୍ର ବାଉଁଶ ଓ କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ର ପଛରେ ଶ୍ରୀଜଗନ୍ନାଥଙ୍କ ସୋଲ ତିଆରି ମୂର୍ତ୍ତିକୁ ବସ୍ତା ଲଦିଲା ଭଳି ନିଆଯାଉଥିଲା। ପୁଣି ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଦଉଡ଼ିରେ ବାନ୍ଧି ଦିଆଯାଇଥିଲା। ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଉକ୍ତ ଟେଣ୍ଟ ହାଉସ୍ ମାଲିକ ଓ ତାଙ୍କର କର୍ମଚାରୀମାନେ ଜଳେଶ୍ୱର ସ୍ଥିତ ଜଗନ୍ନାଥ ମନ୍ଦିରକୁ ଯାଇ କାନ ଧରି କ୍ଷମା ମାଗିଥିଲେ। ।