ଆନ୍ଧ୍ରରେ ଜଳ ପ୍ରଳୟ: ୧୦୦ରୁ ଅଧିକ ଟ୍ରେନ୍ ରଦ୍ଦ, ୩୩ ମୃତ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ପ୍ରବଳ ବର୍ଷା କାରଣରୁ ଆନ୍ଧ୍ର ପ୍ରଦେଶରର ସ୍ଥିତି ବେହାଲ ହୋଇଛି । ରାଜ୍ୟର ବହୁ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା କାରଣରୁ ଏପର୍ଯ୍ୟନ୍ତ ୩୩ ଜଣଙ୍କର ଜୀବନ ମଧ୍ୟ ଯାଇ ସାରିଛି । ସେଭଳି ୧୨ ଜଣ ନିଖୋଜ ହୋଇଥିବାର ଖବର ମିଳିଛି ।
ଏହାଛଡା ରାଜ୍ୟରେ ରେଳ ଯୋଗାଯୋଗ ପ୍ରଭାବିତ ହୋଇଛି । ଦକ୍ଷିଣ ମଧ୍ୟ ରେଲଓ୍ୱେ ପକ୍ଷରୁ କୁହାଯାଇଛି ଯେ, ନେଲ୍ଲୋର ପାଖ ପାଦୁଗୁପାଡ୍ଡୁ ରେଲଓ୍ବେ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଛି । କ୍ଷତି କାରଣରୁ ୧୦୦ ରୁ ଅଧିକ ଏକ୍ସପ୍ରେସ୍ ଟ୍ରେନ୍କୁ ରଦ୍ଦ କରିଦିଆଯାଇଛି ଓ ୨୯ଟି ଟ୍ରେନ୍ ରୁଟ୍କୁ ପରିବର୍ତ୍ତନ କରିଦିଆଯାଇଛି ।
ଲଗାତାର ହେଉଥିବା ବର୍ଷା କାରଣରୁ ରାଜ୍ୟରେ ନଦୀ, ଜଳ ପ୍ରକଳ୍ପରେ ଜଳସ୍ତର ବଢିଯାଇଛି । ସେଭଳି ଚିତୁର, କଡପ୍ପା, ଅନନ୍ତପୁର ଓ ନେଲ୍ଲୁରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆନ୍ଧ୍ର ପ୍ରଦେଶର ପେନ୍ନା ନଦୀରେ ବନ୍ୟା ଆସିବା କାରଣରୁ ଶତାଧିକ ଯାନବାହାନ ଓ ଯାତ୍ରୀ ଫଶି ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଯାତାୟତ ବନ୍ଦ କରିଦିଆଯାଇଛି । ରେଲଓ୍ୱେ ବ୍ୟତୀତ ବସ୍ ସେବା ଉପରେ ମଧ୍ୟ ଖୁବ୍ ପ୍ରଭାବ ପଡିଛି । ଖବର ମିଳିଛି ଯେ, ବହୁ ଯାତ୍ରୀ ନେଲ୍ଲୋର ଆରଟିସି ବସ୍ ଷ୍ଟପ୍ରେ ଫଶି ଯାଇଛନ୍ତି ।