ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ୧୮ ରେ ନେଇପାରେ ଲଘୁଚାପର ରୂପ !
ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା !
ଆସନ୍ତା ୧୭ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯ଼ାହା ୧୮ ରେ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରାଯାଉଛି । ଆଗାମୀ ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ସେପଟେ ମଙ୍ଗଳବାର ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି । ଜଳସ୍ତର ବୃଦ୍ଧି ପାଇବା ପରେ ଜଳଭଣ୍ଡାରୁ ୧୮ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ତେବେ ଜଳଭଣ୍ଡାରରେ ୬୨୮ ଫୁଟରେ ଜଳସ୍ତରକୁ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର ।
ତଳମୁଣ୍ଡରେ ବର୍ଷା କମିଥିଲେ ବି ହୀରାକୁଦ ଜଳଭଣ୍ଡାରୁ ବନ୍ୟା ଜଳ ଆସୁଥିବାରୁ ମହାନଦୀ ଫୁଲିବାରେ ଲାଗିଛି । ନରାଜ ନିକଟରେ ମହାନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଉପର ମୁଣ୍ଡରୁ ପାଣି ଆସୁଥିବାରୁ ଅଧିକ ଗେଟ୍ ମଧ୍ୟ ଖୋଲାଯାଇପାରେ । ତେବେ ମହାନଦୀରେ ବଡ ଧରଣର ବନ୍ୟା ଆସିବ ନାହିଁ, ନିମ୍ନ-ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ଅନ୍ୟପଟେ ମହାନଦୀରେ ଜଳସ୍ତର ବଢ଼ିବା ପରେ ବିଭିନ୍ନ ଶାଖା ନଦୀର ଜଳସ୍ତର ବୃଦ୍ଧି ପାଉଛି । ଜଳସ୍ତର ବଢ଼ୁଥିବାରୁ ସଜାଗ ହୋଇଛି ଜଳସମ୍ପଦ ବିଭାଗ ।
ଆଗାମୀ ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଅର୍ଥାତ ମହାନଦୀ ଅବବାହିକାରେ ବର୍ଷାର ପରିମାଣ କମ୍ ରହିବ ଏବଂ ବନ୍ୟା ଆଶଙ୍କା ମଧ୍ୟ କମ୍ ରହିବ । ସୂଚନାଯୋଗ୍ୟ ଯେ, ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବାର ୩୬ ଘଣ୍ଟା ପରେ ମୁଣ୍ଡୁଳିରେ ସେହି ବନ୍ୟା ଜଳ ପ୍ରବାହିତ ହୁଏ । ଏବେ ହୀରାକୁଦର ୧୮ଟି ଗେଟ୍ ଖୋଲାଅଛି ଏବଂ ଆବଶ୍ୟକ ପଡିଲେ ଅଧିକ ଗେଟ୍ ମଧ୍ୟ ଖୋଲିପାରେ ।