
ଖାର୍କିଭ୍ରେ ପୁଣି ଏୟାରଷ୍ଟ୍ରାଇକ୍ କରିଛି ରୁଷ । ବିସ୍ଫୋରଣ ଶବ୍ଦରେ ସହରର କେନ୍ଦ୍ରସ୍ଥଳ ଦୋହଲି ଉଠିଛି । ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ଓସନୋଭିଆଂସ୍କି ଓ କିଭସ୍କିର ବାସିନ୍ଦା । ଏତଦବ୍ୟାତୀତ ଖାର୍କିଭ୍ ଅଞ୍ଚଳରେ ବିଜୁଳି ଓ ଜଳ ଯୋଗାଣ ପ୍ରଭାବିତ ହେବା ସହ ଅନେକ ଘର ଓ ଭିତ୍ତିଭୂମି ଧ୍ୱଂସ ହୋଇଛି ।
ସେହିପରି ଖାର୍କିଭ୍ର ଆଞ୍ଚଳିକ ସାମରିକ ପ୍ରଶାସନ ମୁଖ୍ୟଙ୍କ ମୁତାବକ ରୁଷ୍ର ସୈନ୍ୟମାନେ ଆଜି ସାନି ବୋମା ମାଡ଼ କରିବାରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । କିଭସ୍କିରେ କିଛି ସଡ଼କକୁ ସେମାନେ ଟାର୍ଗେଟ୍ କରି ଉଡ଼ାଇ ଦେଇଛନ୍ତି । ବିଜୁଳି ଓ ଜଳ ଯୋଗାଣ ଅନେକ ପରିମାଣରେ ପ୍ରଭାବିତ ହୋଇଛି । ସ୍ଥିତିରେ ସ୍ୱାଭାବିକତା ଫେରାଇ ଆଣିବା ସକାଶେ ବିଦ୍ୟୁତ୍ କ୍ଷେତ୍ରର ଯନ୍ତ୍ରୀମାନେ ଲାଗିଛନ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ମେୟର ଆଇହର୍ ତେରେକୋଭ ।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଏବେ ଖାର୍କିଭ୍ ଉପରେ ପୁଣି କାହିଁକି ଆକ୍ରମଣ କଲେ, ତାହା ୟୁକ୍ରେନ୍ବାସୀଙ୍କୁ ଚିନ୍ତାରେ ପକାଇଛି । ୟୁକ୍ରେନ୍ରେ ରୁଷ ଏହାର ଲକ୍ଷ୍ୟ ପୂରଣ କରିବ ବୋଲି ସୋମବାର କ୍ରେମ୍ଲିନ୍ (ପୁଟିନ୍୍ଙ୍କ କାର୍ଯ୍ୟାଳୟ) ପକ୍ଷରୁ କୁହାଯାଇଛି ।
କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୁଟିନ୍ ୟୁକ୍ରେନ୍ ଯୁଦ୍ଧ ନେଇ ସବୁ ଖବର ରଖିଛନ୍ତି । ୟୁକ୍ରେନ୍ରେ ରୁଷ ଏହାର ଲକ୍ଷ୍ୟ ନିଶ୍ଚିତ ପୂରଣ କରିବ । ରୁଷ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ରୁଷ ସେନା ଏବେ ଖାର୍କିଭ୍ର ବାଲାକ୍ଲେୟା ଓ ଇଜୁମ୍ ସହରରୁ ଅପସାରଣ ହୋଇ ଡୋନେସ୍କ ଉପରେ ଫୋକସ୍ କରିବ ।