
ନୂଆଦିଲ୍ଲୀ : ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନ ପୂର୍ବରୁ ଦିଲ୍ଲୀ ରାଜନୀତି ସରଗରମ ହେବାରେ ଲାଗିଛି। ନିର୍ବାଚନକୁ ନେଇ ଭାଜପା ଏବଂ ଆମ ଆଦମୀ ପାର୍ଟି(ଏଏପି) ପରସ୍ପରକୁ ଟାର୍ଗେଟ୍ କରୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିୱାଲ ଗୁରୁବାର ସକାଳେ ଗାଜିପୁର ଲ୍ୟାଣ୍ଡଫିଲ ସ୍ଥାନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ୧୫ ବର୍ଷ ମଧ୍ୟରେ ମ୍ୟୁନିସିପାଲିଟି କର୍ପୋରେସନରେ ଭାଜପା କ’ଣ କାମ କରିଛି? ତିନୋଟି ବଡ ଅଳିଆ ପାହାଡ ନିର୍ମାଣ କରଛି। ଦିଲ୍ଲୀ ଭିତରେ ଆମେ କେଉଁ କାମ କରିଛୁ ଭାଜପା ମୋତେ ପଚାରିବା ଉଚିତ୍। ମୋତେ ଏହା ପଚାରିବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ, କେବଳ ଦିଲ୍ଲୀର ଲୋକମାନେ କହିବେ ଯେ ଆମ ଆଦମୀ ପାର୍ଟି ଦିଲ୍ଲୀ ପାଇଁ କ’ଣ କରିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ୍ କରି କେଜିଓ୍ୱାଲ କହିଛନ୍ତି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସିଥିଲେ। ସେ ମୋତେ ଗାଳି ଦେଇଥିଲେ। ସେମାନେ ମୋତେ ଦିଲ୍ଲୀ ଏମସିଡିକୁ ଫଣ୍ଡ୍ ନ ଦେଇଥିବାର ଅଭିଯୋଗ କରିଛନ୍ତି। ମୁଁ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ପଚାରିବାକୁ ଚାହେଁ ଯେ ସେ ଏମ୍ସିଡିକୁ ତେବେ ଫଣ୍ଡ ଦେଇଛନ୍ତି। ସୂଚନାଯୋଗ୍ୟ, କେଜିୱାଲ ଆଜି ଦିଲ୍ଲୀ ଗାଜିପୁର ଆସିବାକୁ ଘୋଷଣା କରିଥିଲେ। ସେ ସେଠାକୁ ଯିବା ପୂର୍ବରୁ ଦିଲ୍ଲୀ ଭାଜପା କର୍ମୀମାନେ ସେଠାରେ ପହଞ୍ଚି ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ଭାଜପା କର୍ମୀମାନେ ‘କେଜିୱାଲ ଗୋବ୍ୟାକ୍’, କେଜିୱାଲ ହାଏ-ହାଏ’ ସ୍ଲୋଗାନ ଦେଇଥିଲେ।