ଦୁଷ୍କର୍ମର ଶିକାର ହେଲେ ଆଶାକର୍ମୀ, ୩ ଦିନ ହେଲାଣି ପତ୍ତା ମିଳୁନି
ପାରାଦୀପ : ଜଣେ ଆଶାକର୍ମୀ ଗତମାସ ୨୬ ତାରିଖରେ ପାରାଦୀପରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଦୁଷ୍କର୍ମର ଶିକାର ହୋଇଥିବା ଆଶାକର୍ମୀଙ୍କର ୩ ଦିନ ହେଲାଣି କୌଣସି ପତ୍ତା ମିଳୁନି। ଏହି ଘଟଣାରେ ପୁଲିସ୍ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ଗିରଫ କରି ସାରିଛି। ଏବେ ଝିଅ ନିଖୋଜ ନେଇ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ପରେ ଜଟାଧାରମୁହାଣ ସାମୁଦ୍ରିକ ଥାନା ପୁଲିସ୍ ଏହାର ତଦନ୍ତ କରୁଛି। ଗତମାସ ୨୬ ତାରିଖରେ ଆଶାକର୍ମୀ ଜଣକ ଏକୁଟିଆ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ୪ ଜଣ ଯୁବକ ତାଙ୍କୁ ଏକୁଟିଆ ପାଇ ଏକ କାର୍ରେ ଅପହରଣ କରି ନେଇଥିଲେ। ସେମାନେ ନେହରୁବଙ୍ଗଳା ଅଞ୍ଚଳରେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପାରାଦୀପ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ୨ଟି ପର୍ଯ୍ୟାୟରେ କୋର୍ଟଚାଲାଣ କରିଥିଲେ। ହେଲେ ଏହାପରେ ଗତ ୩ ଦିନ ହେଲାଣି ଆଶାକର୍ମୀଙ୍କ ପତ୍ତା ମିଳୁନଥିବା ବେଳେ ପୁଲିସ ନିଖୋଜ ମାମଲା ରୁଜୁ କରି ଏହାର ତଦନ୍ତ ଚଳାଇଛି। ଏନେଇ ପୀଡ଼ିତାଙ୍କ ବାପା କହିଛନ୍ତି, ୩ ତାରିଖରେ ଝିଅ କାମକୁ ଯାଇଥିବା ବେଳେ ଆଉ ଘରକୁ ଫେରିନି। ଫୋନ୍ କରିବା ପରେ ଉଠାଇଲାନି । ଖୋଜାଖୋଜି କରି ନ ପାଇବାରୁ ପୁଲିସ୍କୁ ଜଣାଇଲୁ। ଏନେଇ ଜଟାମୁହାଣ ଥାନାରେ ନିଖୋଜ ନେଇ ମାମଲା ରୁଜୁ କରିଛି। ୪ ଅଭିଯୁକ୍ତଙ୍କ ସମ୍ପର୍କୀୟ ମୋ’ ଝିଅକୁ ଅପହରଣ କରି ନେଇଥିବା ସନ୍ଦେହ ହେଉଛି। ମୋ’ ଝିଅ ଜୀବନ ପ୍ରତି ଓ ମୋ ପରିବାର ପ୍ରତି ବିପଦ ରହିଛି । ତୁରନ୍ତ ମୋ ଝିଅକୁ ଉଦ୍ଧାର କରନ୍ତୁ ଓ ସୁରକ୍ଷା ଯୋଗାଇ ଦିଅନ୍ତୁ। ନିଜ ଝିଅକୁ ଓ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ଦୁଷ୍କର୍ମର ଶିକାର ହୋଇଥିବା ଆଶାକର୍ମୀଙ୍କ ବାପା ।