
ଭୁବନେଶ୍ୱର : ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଆଉ କଂଗ୍ରେସରେ ରହିବେ ନାହିଁ । ସେ ବର୍ତ୍ତମାନ କଂଗ୍ରେସରେ ଥାଇ ବି ନ ଥିଲା ପରି ରହିଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି ଯେ ବିଧାୟକ ମହମ୍ମଦ ମୋକିମ କଂଗ୍ରେସର ନୀତିକୁ ଗ୍ରହଣ କରନ୍ତିନି। ଥରେ ବିଧାୟକ ହୋଇ ସେ ପିସିିସି ସଭାପତି ହେବାକୁ ଚାହିଁଛନ୍ତି। ଏବେ ସେ କଂଗ୍ରେସରେ ଅଛନ୍ତି କି ନାହିଁ ତାହା ଜଣା ନାହିଁ ବୋଲି ମଧ୍ୟ ତାରା ପ୍ରସାଦ କହିଛନ୍ତି। ତାରା ଏପରି କହିବାର ମୁଖ୍ୟ କାରଣ ହେଉଛି ମହମ୍ମଦ ମୋକିମ କଂଗ୍ରେସ ନୀତିକୁ ଗ୍ରହଣ ନକରିବା ସହ ଦଳକୁ ଅଣଦେଖା କରିବାରେ ଲାଗିଛନ୍ତି। ଗତକାଲି କିନ୍ତୁ ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସରେ ସଭାପତି ବାଛିବା ପାଇଁ ନିର୍ବାଚନ ହେଉଥିଲେ ମଧ୍ୟ ମୋକିମ ଏଥିରୁ ନିଜକୁ ଦୂରେଇ ରଖିଥିଲେ। ରାଜ୍ୟରୁ ପିସିସିର ୪୧୨ ସଦସ୍ୟ କଂଗ୍ରେସରେ ସଭାପତି ନିର୍ବାଚନ ପାଇଁ ମତଦାନ କରିଥିଲେ ମଧ୍ୟ ମୋକିମ ଭୋଟ ଦେବାକୁ ଆସିନଥିଲେ। ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଥିଲା। ତେବେ ଏହା ଦଳୀୟ କନ୍ଦଳ ନା ଆଉ କିଛି କାରଣ ପାଇଁ ମୋକିମ ଏପରି ପଦକ୍ଷେପ ନେଲେ, ତା’କୁ ନେଇ ସସପେନ୍ସ ଦେଖାଦେଇଛି। ତେବେ ସେ ବାହାରେ ଥିବାରୁ ଭୋଟ ଦେବାକୁ ଆସି ପାରି ନଥିବା କହିଛନ୍ତି। କିନ୍ତୁ ସେ ରାଜ୍ୟ ବାହାରେ ନା ଦେଶ ବାହାରେ ଅଛନ୍ତି, ସେକଥା ବି ସ୍ପଷ୍ଟ ହୋଇନି।