ଓଡ଼ିଶାମୁଖ୍ୟ ଖବର

ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ

ଆଜିଠୁ ବଢିବ ବର୍ଷା

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ଆଜି ଏହା ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ରବିବାରଠାରୁ ବର୍ଷା ପ୍ରକୋପ ବଢ଼ିପାରେ । ମାତ୍ର ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବଡ଼ ବର୍ଷା ବା ଲଗାଣ ବର୍ଷା ସମ୍ଭାବନା କମ୍‌ ।ଅନୁମାନ କରାଯାଉଛି, ଆଜି ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ, ଉତ୍ତର ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଅଞ୍ଚଳର ଅଳ୍ପ କେତେକ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ଗଜପତିି, ଗଞ୍ଜାମ, ରାୟଗଡ଼ାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ । ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ । ୧୩ ଓ ୧୪ରେ ବି ବର୍ଷା ହେବ । ମାତ୍ର ଏହି ଲଘୁଚାପ ମୁଖ୍ୟତଃ ଓଡ଼ିଶାରେ ଅଧିକ ବର୍ଷା କରାଇବ । ରାଜ୍ୟର ବାକି ଅଞ୍ଚଳରେ ବିଶେଷ ବର୍ଷା ହେବନି । ଆଜି ଦିନ ଭିତରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇଛି ।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା କମ୍‌ ରହିଛି । ଜୁନ ପହିଲାରୁ ଜୁଲାଇ ୧୦ ତାରିଖ ସୁଦ୍ଧା ଯେତିକି ବର୍ଷା ହେବା କଥା, ତା’ଠାରୁ ୨୦% କମ୍‌ ବର୍ଷା ହୋଇଛି । ୧୪ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି ।

ଭଦ୍ରକରେ ସବୁଠୁ କମ୍‌ ବର୍ଷା ହୋଇଛି । ଏଠାରେ ସ୍ୱାଭାବିକ ତୁଳନାରେ ୫୮% ବର୍ଷା ଅଭାବ ଅଛି । ସ୍ଥିତି ଶୋଚନୀୟ ହେଲାଣି । ଜମି ଫାଟି ଆଁ କରିଛି । ବିଶେଷକରି ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ କମ୍‌ ରହିଛି । ଏଣେ ବର୍ଷା ଅଭାବରୁ ଚାଷ କାମ ବିଳମ୍ବ ହେଉଥିବାରୁ ଚାଷୀ ଚିନ୍ତାରେ ପଡ଼ିଗଲାଣି । ଯାଜପୁରରେ ୪୭% କମ୍‌ ବର୍ଷା ରହିଛି । ଗଜପତିରେ ୪୭% କମ୍‌ ବର୍ଷା ହୋଇଥିବାବେଳେ କେନ୍ଦୁଝରରେ ସ୍ୱାଭାବିକଠାରୁ ୩୯% କମ୍‌ ବର୍ଷିଛି ମୌସୁମୀ । ଏହାବାଦ୍‌ ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ ଓ ଝାରସୁଗୁଡ଼ାରେ ବର୍ଷା ନିଅଣ୍ଟିଆ ଅଛି ।ପାଣିପାଗ ବିଶେଷଜ୍ଞଙ୍କ ଆକଳନ ହେଲା, ୧୧ ତାରିଖ ଲଘୁଚାପ ପରେ ପୁଣି ଆଉ ଏକ ଲଘୁଚାପ ୧୮ ତାରିଖବେଳକୁ ହୋଇପାରେ । ମାତ୍ର ଉଭୟ ଲଘୁଚାପରେ ଆଶାନୁଯାୟୀ ବର୍ଷା ହେବନି ଓଡ଼ିଶାରେ । ତେଣୁ ରାଜ୍ୟରେ ଲାଗି ରହିଥିବା ବର୍ଷା ନିଅଣ୍ଟିଆ ସ୍ଥିତି ଆହୁରି ବିଗିଡ଼ିପାରେ । ଏମିତି ହେଲେ ଧାନ ଚାଷ ଉପରେ ବଡ଼ ପ୍ରଭାବ ପଡ଼ିପାରେ ।

Show More

Related Articles

Back to top button