Breaking PLUSଓଡ଼ିଶାମୁଖ୍ୟ ଖବର

ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର

ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ଚଳିତ ବର୍ଷର ୪୪ତମ ଶାରଳା ପୁରସ୍କାରରେ ବିଶିଷ୍ଟ କଥାକାର ଭୀମ ପୃଷ୍ଟି ସମ୍ମାନିତ ହେବେ। ୨୦୧୭ ମସିହାରେ ପଶ୍ଚିମା ପବ୍ଲିକେଶନ୍‌ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ଅକ୍ଟୋବର ୨୬ରେ ଇମ୍ଫା ପକ୍ଷରୁ ୫ଲକ୍ଷ ଟଙ୍କାର ଅର୍ଥରାଶି, ଉତ୍ତରୀୟ ଓ ଫଳକ ସହ ଦିଆଯିବ।

ପୃଷ୍ଟିଙ୍କ ‘ଜମ୍ବୁଲୋକ’ ସହିତ ଚୂଡ଼ାନ୍ତ ପର୍ଯ୍ୟାୟ ବିଚାର ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ୟରେ ବିଜୟ କୁମାର ଶତପଥୀଙ୍କ ‘ନଷ୍ଟନୀଡ଼ର ଉପକଥା’, ଅପର୍ଣ୍ଣା ମହାନ୍ତିଙ୍କ ‘ଅଗ୍ନି କମଳିନୀ’, ଅମରେଶ ପଟ୍ଟନାୟକଙ୍କ ‘ଚାହଁ ବା ନ ଚାହଁ’, ସରୋଜିନୀ ସାହୁଙ୍କ ‘ଦାଦନ’, ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ‘କାନୀନ’ ଏବଂ ପ୍ରଦୀପ କୁମାର ପଣ୍ଡାଙ୍କ ‘ଯାହା ମୁଁ ଚାହୁଁ ନ ଥିବି’ ପୁସ୍ତକ ରହିଥିଲା।

ପ୍ରାଥମିକ ପୁସ୍ତକ ଚୟନ ମଣ୍ଡଳୀରେ ସୀତେଶ ତ୍ରିପାଠୀ, ଡ. ସୁଚେତା ମିଶ୍ର, ଡ. ପରମେଶ୍ୱର ମୁଣ୍ଡ, ବୈଜୟନ୍ତୀ ମିଶ୍ର ଏବଂ ଡ. ପ୍ରୀତିଧାରା ସାମଲ ବିଚାରକ ଥିବାବେଳେ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଧ୍ୟାପକ ବିଶ୍ୱରଞ୍ଜନ, ଡ. ମୃଣାଳ ଚାଟାର୍ଜୀ, ଡ. ପ୍ରସନ୍ନ କୁମାର ମହାନ୍ତି, ଡ. ଯଶୋଧାରା ମିଶ୍ର, ରଞ୍ଜନ କୁମାର ଦାସ, ଚିରଶ୍ରୀ ଇନ୍ଦ୍ରସିଂ ଏବଂ ଆଦିତେଶ୍ୱର ମିଶ୍ର ରହିଥିଲେ।

ଏଥିସହିତ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ପ୍ରତିବର୍ଷ ଇମ୍ଫା ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଇଲା- ବଂଶୀଧର ପଣ୍ଡା କଳା ସମ୍ମାନ’ ମଧ୍ୟ ୨୦୨୩ ମସିହା ପାଇଁ ଘୋଷିତ ହୋଇଛି। ପଟ୍ଟଚିତ୍ର ଶିଳ୍ପୀ ଗୁରୁ ବେଣୁଧର ମହାପାତ୍ର ଏବଂ ପ୍ରସିଦ୍ଧ ବଂଶୀବାଦକ ଗୁରୁ ମୋହିନୀ ମୋହନ ପଟ୍ଟନାୟକଙ୍କୁ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ଉଭୟଙ୍କୁ ଦୁଇଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ। ସଙ୍ଗୀତ ବିଭାଗରେ ଅରୁଣା ମହାନ୍ତି, ରତିକାନ୍ତ ମହାପାତ୍ର, ମିତାଲି ଚିନାରା ଏବଂ ଚିତ୍ରକଳା ବିଭାଗରେ ପଞ୍ଚମୀ ମାନୁ ଉକୀଲ, ବିୟତପ୍ରଜ୍ଞା ତ୍ରିପାଠୀ ଓ ରମାକାନ୍ତ ସାମନ୍ତରାୟ ବିଚାରକ ଦାୟିତ୍ୱ ତୁଲାଇଥିଲେ।

Show More

Related Articles

Back to top button