ପ୍ରତିବର୍ଷ ଭୁବନେଶ୍ୱର ଏମ୍ସକୁ ଆସୁଛନ୍ତି 250ରୁ 350 ଶିଶୁ କର୍କଟ ରୋଗୀ

ଭୁବନେଶ୍ୱର : ଶିଶୁ କର୍କଟ ରୋଗୀଙ୍କୁ ବିଶେଷ ଚିକିତ୍ସା ଯୋଗାଇଦେବାରେ ଏମ୍ସ ଭୁବନେଶ୍ୱର ହେଉଛି ରାଜ୍ୟର ଏକମାତ୍ର ସରକାରୀ ଅନୁଷ୍ଠାନ। ପ୍ରତିବର୍ଷ ଏହି ଜାତୀୟ ଅନୁଷ୍ଠାନକୁ ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ବହୁମୁଖୀ ଆଭିମୁଖ୍ୟ ମାଧ୍ୟମରେ ଏମ୍ସ ଭୁବନେଶ୍ୱରର ମେଡିକାଲ ଅଙ୍କୋଲୋଜି/ହେମାଟୋଲୋଜି ବିଭାଗ କର୍କଟ ରୋଗରେ ପୀଡ଼ିତ ଶିଶୁମାନଙ୍କୁ ତାଲିମପ୍ରାପ୍ତ ଚିକିତ୍ସକମାନଙ୍କ ଦ୍ବାରା ସାମଗ୍ରିକ ଭାବେ ଗୁଣାତ୍ମକ ତଥା ସୁଲଭ ଚିକିତ୍ସା ଯୋଗାଇଆସୁଛି।
ଶିଶୁ କର୍କଟ ସମ୍ପର୍କରେ ବ୍ୟାପକ ସଚେଚତନା ସୃଷ୍ଟି କରିବା ନେଇ ଏମ୍ସ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ।
ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡଖଣ୍ଡ ପରି ପଡ଼ୋଶୀ ରାଜ୍ୟରୁ ଆସୁଥିବା ଶିଶୁ କର୍କଟ ରୋଗୀଙ୍କୁ ମଧ୍ୟ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି ଏମ୍ସ ଭୁବନେଶ୍ୱର। ବିଭାଗକୁ ଆଜିସୁଦ୍ଧା ୧୨ଶହରୁ ଅଧିକ ଶିଶୁ କର୍କଟ ରୋଗୀ ଆସିଥିବା ସୂଚନା ପ୍ରଦାନ କରିଛନ୍ତି ଡ. ବିଶ୍ବାସ।