ଭୁବନେଶ୍ୱର : ଆଗାମୀ ନିର୍ବାଚନକୁ ଆଖିରେ ରଖି ବିଜେଡି ଆଗୁଆ ନିଜର ସାଂଗଠନିକ କାର୍ଯ୍ୟକୁ ଜୋରଦାର ପ୍ରସ୍ତତି କରୁଛି । ୨୦୨୪ ମାର୍ଚ୍ଚ-ଏପ୍ରିଲ ନୁହେଁ ବରଂ ୨୦୨୩ ଅକ୍ଟୋବର-ନଭେମ୍ବରରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବିଜେଡି ନିଜକୁ ଏବେଠୁ ପ୍ରସ୍ତୁତ କରୁଥିବା ସୂଚନାମିଳିଛି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଉତ୍ତମ ସମ୍ପର୍କ ରଖି ବିଜେଡି ପରୋକ୍ଷରେ ରାଜ୍ୟରେ ବିଜେପି ସଂଗଠନକୁ ଦୁର୍ବଳ କରି ନିଜେ ନିର୍ବାଚନୀ ସଫଳତା ସାଉଁଟିଥିବାବେଳେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓଡ଼ିଶାରେ ନିଜର ରଣନୀତି ପରିବର୍ତ୍ତନ ସହ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିପାରେ ବୋଲି ବିଜେଡି ଆଶଙ୍କା କରୁଥିବା ସୂଚନାମିଳିଛି । ଆଉ ଏହି କାରଣରୁ ବିଜେଡି ନିର୍ଦ୍ଧାରିତ ୩ବର୍ଷ ଅବଧିର ବହୁ ପୂର୍ବରୁ ନିଜର ୩ ଛାମୁଆ ସଂଗଠନ(ଛାତ୍ର, ଯୁବ ଓ ମହିଳା)ର ପୁର୍ନଗଠନ କରିଛି । ଏବେ ଜିଲ୍ଲା କମିଟିର ପୁନର୍ଗଠନ ସହ ନିର୍ବାଚନ ମଣ୍ଡଳୀ ୱାରି ପ୍ରଭାରୀ ଓ ସହପ୍ରଭାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ବିଜେଡି ଆଗାମୀ ସାଧାରଣ ନିର୍ବାଚନ ୨୦୨୩ ଶେଷ ଭାଗକୁ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ନିଜର ସଂଗଠନକୁ ପୁନର୍ଗଠନ କରିବାରେ ଲାଗିଛି । ବିଜେଡି ମାତ୍ର ୨ବର୍ଷ ଭିତରେ କାହିଁକି ନିଜର ୩ ଛାମୁଆ ସଂଗଠନ ଯଥା-ଛାତ୍ର, ଯୁବ ଓ ମହିଳା ଟିମକୁ ଭାଙ୍ଗି ତା’ର ପୁନର୍ଗଠନ କଲା, ତାକୁ ନେଇ ଦଳୀୟ ନେତାମାନେ ମୁହଁ ଖୋଲୁନଥିଲେ ମଧ୍ୟ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ନିଜର ସାଂଗଠନିକ ପ୍ରକ୍ରିୟା ଶେଷ କରି ଲୋକଙ୍କ ନିକଟକୁ ଯିବାକୁ ପ୍ରସ୍ତୁତି କରିଛି । ଗତ ୨୦୧୯ ସାଧାରଣ ନିର୍ବାଚନ ଯୋଗୁ ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଏକବର୍ଷ ବିଳମ୍ବରେ ହୋଇଥିଲା । ଛାତ୍ର ଓ ଯୁବ ବିଜେଡି କମିଟି ୨୦୨୦ ସେପ୍ଟେମ୍ବର ମାସରେ ପୁନର୍ଗଠନ ହୋଇଥିବା ବେଳେ ମହିଳା କମିଟି ୨୦୨୦ ଜୁଲାଇ ମାସରେ ଘୋଷଣା ହୋଇଥିଲା ।
Related Articles
Check Also
Close