ବଲିଉଡ ଅଭିନେତ୍ରୀ ଆଶା ପାରେଖ ପାଇବେ ଫାଲକେ ଆୱାର୍ଡ

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଆଶା ପାରେଖ ପାଇବେ ଦାଦା ସାହେବ ଫାଲକେ ଆୱାର୍ଡ। ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ଆୱାର୍ଡରେ ଚଳିତ ବର୍ଷ ଆଶା ପାରେଖଙ୍କୁ ସମ୍ମାନୀତ କରାଯିବ। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୭୯ ବର୍ଷୀୟ ଆଶାଙ୍କ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସର୍ବୋଚ୍ଚ ପୁରସ୍କାରରେ ସମ୍ମାନୀତ କରାଯିବା ପାଇଁ ମନୋନୀତ କରାଯାଇଛି। ୨୦୨୦ ବର୍ଷ ପାଇଁ ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ଦିଆଯିବ। ୧୯୯୨ରେ ଅଶାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ୨୨ ବର୍ଷ ପରେ ପ୍ରଥମ କରି କୌଣସି ମହିଳାଙ୍କୁ ଏହି ସମ୍ମାନ ମିଳିବାକୁ ଯାଉଛି। ଆଶା ପାରେଖ ନିଜର ୬୯ ବର୍ଷର ଫିଲ୍ମ କ୍ୟାରିୟର୍ରେ ୮୦ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ୧୯୯୯ରେ ଆଶାଙ୍କୁ ଶେଷଥର ପାଇଁ ‘ସର୍ ଆଖୋଁ ପର୍’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ୨୦୧୯ ବର୍ଷ ପାଇଁ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନୀତ କରାଯାଇଥିଲା । ଏଥର ବଲିଉଡ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନୀତ କରାଯିବ ।