ବିହାର ବିଧାନସଭାକୁ ବୋମା ଧମକ: ସୁରକ୍ଷା ବୃଦ୍ଧି, ତଲାସି ଜାରି

ଶୁକ୍ରବାର ବିହାର ବିଧାନସଭାକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଥିବାରୁ ରାଜଧାନୀ ପାଟନାରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି।
ଘଟଣା ପରେ ବିଧାନସଭା ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁଲିସ ବଳ ସହିତ ବୋମା ସ୍କ୍ୱାଡ୍ ଓ ସ୍ନିଫର କୁକୁର ଦଳକୁ ମଧ୍ୟ ନିୟୋଜିତ କରାଯାଇଛି। ସମ୍ପୂର୍ଣ୍ଣ ପରିସରକୁ ଘେରି ଯାଞ୍ଚ ଜୋରଦାର କରାଯାଉଛି।
ସଚିୱାଲେ-୧ ସବଡିଭିଜନାଲ୍ ପୁଲିସ ଅଧିକାରୀ ଅନୁ କୁମାରୀ କହିଛନ୍ତି ଯେ ବିଧାନସଭା କର୍ତ୍ତୃପକ୍ଷଙ୍କ ପାଖକୁ ବୋମା ଧମକ ସମ୍ବଳିତ ଇମେଲ୍ ଆସିଥିବା ସୂଚନା ମିଳିବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ସମ୍ପୂର୍ଣ୍ଣ ଅଞ୍ଚଳରେ ତଲାସି ଚାଲିଛି।
ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ମାର୍ଚ୍ଚ ୧୩ରେ ମଧ୍ୟ ସମାନ ଧରଣର ଧମକ ମିଳିଥିଲା, ପରେ ସେହିଥିରେ କୌଣସି ବିପଦ ନଥିବା ଜଣାପଡ଼ିଥିଲା। ଏଥର ମଧ୍ୟ ଯାଞ୍ଚ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି। ପୁଲିସ ଓ ପ୍ରଶାସନ ଅତ୍ୟଧିକ ସତର୍କତା ଅବଲମ୍ବନ କରୁଥିବା ସହିତ ଯେକୌଣସି ଅପ୍ରତ୍ୟାଶିତ ପରିସ୍ଥିତିକୁ ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି।



