ଆର୍ୟନ ଖାନଙ୍କ ବିରୋଧରେ କୌଣସି ଅପରାଧିକ ପ୍ରମାଣ ନାହିଁ : ବମ୍ୱେ ହାଇକୋର୍ଟ

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ବେଲ ଅର୍ଡରର ସବିଶେଷ ନକଲ ପ୍ରକାଶ ପାଇଛି । ବମ୍ୱେ ହାଇକୋର୍ଟଙ୍କ ପକ୍ଷରୁ ପ୍ରଦାନ ଜାମିନ ଆଦେଶରେ, ଆର୍ୟନ ଡ୍ରଗ୍ସ ସମ୍ପର୍କିତ କୌଣସି ବେଆଇନ କାର୍ଯ୍ୟ କରିବା ନେଇ ଏକଜୁଟ୍ ହୋଇଥିବା ପ୍ରମାଣ ନଥିବା କହିଛନ୍ତି ।
ଆର୍ୟନ ଖାନଙ୍କ ବିରୋଧରେ କୌଣସି ଅପରାଧିକ ପ୍ରମାଣ ନାହିଁ । ହାଇକୋର୍ଟଙ୍କ ଜାମିନ ଅର୍ଡର ଅନୁସାରେ, ଆର୍ୟନ ଖାନଙ୍କ ହ୍ୱାଟ୍ସଆପ୍ ଚାଟ୍ରେ ସେମିତି କୌଣସି ଆପତ୍ତିଜନକ ସୂଚନା ନାହିଁ ଯେଉଁଥିରୁ ସେମାନଙ୍କ ମଧ୍ୟରେ କଛି ଯୋଜନା ଥିଲା ବୋଲି ସ୍ପଷ୍ଟ କରୁଛି ।
ଏହା ସହ କୋର୍ଟ କହିଛନ୍ତି, ‘ କେବଳ ଅରବାଜ ମର୍ଚେଣ୍ଟ, ମୁନମୁନ ଧମେଚା ଏବଂ ଆର୍ୟନ ଖାନ ଗୋଟିଏ କ୍ରୁଜ୍ରେ ଯାତ୍ରା କରୁଥିଲେ ବୋଲି ଏହା ତାଙ୍କ ବିରୋଧରେ କୌଣସି ଯୋଜନା ନେଇ ଅଭିଯୋଗର ଆଧାର ହୋଇପାରିବ ନାହିଁ ।’ ଏହା ବ୍ୟତୀତ ଆର୍ୟନ ଖାନ, ଅରବାଜ ମର୍ଚେଣ୍ଟ ଏବଂ ମୁନମୁନଙ୍କ ଏକ ପାଖିଆ ବୟାନଉପରେ ଭରସା କରାଯାଇ ପାରିବ ନାହିଁ । ଏଭଳି ବୟାନ ସାକ୍ଷ୍ୟ କ୍ଷେତ୍ରରେ ଅସ୍ୱୀକାର୍ଯ୍ୟ ବୋଲି କୋର୍ଟ କହିଛନ୍ତି ।
ବମ୍ବେ ହାଇକୋର୍ଟ ଜାମିନ ଆଦେଶରେ କହିଛନ୍ତି ଯେ ଆର୍ୟନ ଖାନ, ଅରବାଜ ମର୍ଚେଣ୍ଟ ଏବଂ ମୁନମୁନ ଧମେଚା ସେହି ସମୟରେ ଡ୍ରଗ୍ସ ସେବନ କରିଥିଲେ କି ନାହିଁ ସେନେଇ ମେଡିକାଲ ଯାଞ୍ଚ ହୋଇନଥିଲା । ତେବେ ଏନସିବି ଆର୍ୟନଙ୍କ ବିରୋଧରେ ଠୋସ୍ ପ୍ରମାଣ ଦାଖଲ କରିବାରେ ଅସମର୍ଥ ହୋଇଛି । ସେପଟେ ଆର୍ୟନଙ୍କ ସମେତ ଅରବାଜ ଏବଂ ମୁନମୁନ ବ୍ୟବସାୟିକ ଅର୍ଥରେ ଡ୍ରଗ୍ସ କାରବାର ଉପରେ ଆଲୋଚନା କରିଥିଲେ କି ନାହିଁ ସେନେଇ ମଧ୍ୟ ଏନସିବି ପାଖରେ ପ୍ରମାଣ ନାହିଁ । ରେକର୍ଡରେ ସେମିତି କୌଣସି ପ୍ରମାଣ ନାହିଁ ଯେଉଁଥିରୁ ଅନୁମାନ କରିହେବ ସେମାନେ ଅପରାଧିକ ଯୋଜନା ରଚୁଥିଲେ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି ।