
ଗୋଟେ ମାସ ପରେ ଆରମ୍ଭ ହୋଇଯିବ କାର୍ତ୍ତିକ ମାସ । ଏହି ମାସରେ ପୁରୀରେ କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ଦୁରଦୂରାନ୍ତରରୁ ହବିଷିଆଳିମାନେ ଆସି ମଠ, ଧର୍ମଶାଳାରେ ରୁହନ୍ତି । ବ୍ରତଧାରୀଙ୍କୁ ଏଥିନିମନ୍ତେ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ । ତେଣୁ ରାଜ୍ୟ ସରକାର ସେମାନଙ୍କ ପାଇଁ ଗତ କିଛି ବର୍ଷ ହେଲା ହବିଷିଆଳି ଯୋଜନା ଆରମ୍ଭ କରିଥିଲେ । କିନ୍ତୁ ୨ବର୍ଷ ହେବ କରୋନା ମହମାରୀ ଯୋଗୁଁ ଏହି ଯୋଜନା ବନ୍ଦ ରହିଥିବାବେଳେ ପୁଣି ଚଳିତ ବର୍ଷ ଯୋଜନା କାର୍ଯ୍ୟକାରୀ ହେବ । ଏଥିପାଇଁ ଗତ ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ସୂଚନା ଅନୁଯାୟୀ, ଚଳିତବର୍ଷ ପ୍ରାୟ ଅଢେଇ ହଜାର ବ୍ରତଧାରୀଙ୍କୁ ରଖିବା ଲାଗି ପ୍ରଶାସନ ଚିନ୍ତା କରୁଛି। ଏ ନେଇ ୮ ତାରିଖରୁ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ୧୦ରୁ ପଞ୍ଜୀକରଣ ଆରମ୍ଭ କରାଯାଇ ୨୫ରେ ଶେଷ ହେବ। ଏଥର ନୂତନ ହବିଷିଆଳୀ ଶିବିର ସ୍ଥାୟୀ ଭାବେ କାର୍ଯ୍ୟକ୍ଷମ ହେବ। ନରେନ୍ଦ୍ରକୋଣସ୍ଥିତ ବୃନ୍ଦାବତୀ ନିବାସରେ ହବିଷିଆଳୀମାନେ ରହିବେ। ଶିବିର ଆରମ୍ଭ ଦିନ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିବେ। ଆବଶ୍ୟକ ପଡ଼ିଲେ ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସ ଏବଂ ମୋଚିସାହି କଲ୍ୟାଣ ମଣ୍ଡପକୁ ଅସ୍ଥାୟୀ ଶିବିର କରାଯିବ। ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥାନୀୟ ହବିଷିଆଳି ପଞ୍ଜୀକରଣ କରିବେ। ହବିଷିଆଳୀଙ୍କ ପାଇଁ ବୁଷ୍ଟର ଡୋଜ ବାଧ୍ୟତାମୂକଳ ରହିବ ବୋଲି ଜଣାପଡ଼ିଛି।