ଏସିଏଫ ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀକୁ ଦଣ୍ଡ ଦେବା ଦାବିରେ ୬ଘଣ୍ଟିଆ ଖଇରା ବନ୍ଦ ଡାକରା

ଏସିଏଫଓ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇ ଦୋଷୀକୁ ଦଣ୍ଡ ଦେବା ଦାବିରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ୯ ତାରିଖ ଗୁରୁବାର ପାଇଁ ଖଇରା ବନ୍ଦ ଡାକରା ଦିଆଯାଇଛି । ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୫୬ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି ଏବଂ ସେଥିରେ ସଂପୃକ୍ତ ଦୋଷୀମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ପ୍ରଶାସନ ଗ୍ରହଣ କରୁନଥିବାରୁ ଖଇରା ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଦୁଇ ଦିନ ତଳେ ଖଇରା ଦୁର୍ଗାମଣ୍ଡପ ପରିସରରେ ୨୦ରୁ ଅଧିକ ବିଭିନ୍ନ ସଂଗଠନ ପକ୍ଷରୁ ବୈଠକ ବସିଥିଲା । ବୈଠକରେ ପ୍ରଶାସନର ତୁରନ୍ତ ପଦକ୍ଷେପ ନେବାରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ତେଣୁ ଆସନ୍ତା ୯, ଗୁରୁବାର ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖଇରାର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏଥିନେଇ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ତଥା ଅନ୍ୟମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବା ନେଇ କଡା ଚେତାବନୀ ମଧ୍ୟ ଦିଆଯାଇଛି ।