
ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ। କାହିଁକି ଓ କେଉଁ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଗଲା ସେ ନେଇ ଖୋଲତାଡ କରିବ ସିବିଆଇ। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଜେପି ନେତା ତଥା ଅଭିନେତ୍ରୀ ସୋନାଲିଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଗୋଆର ଏକ ରିସୋର୍ଟରେ ପାର୍ଟି ପରେ ସୋନାଲି ଫୋଗଟଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସୋନାଲିଙ୍କ ପରିବାର ଲୋକେ ଲଗାତର ଭାବେ ସିବିଆଇ ତଦନ୍ତ ଦାବି କରୁଥିଲେ। ସମ୍ପର୍କୀୟଙ୍କ ଦାବିକୁ ହରିୟାଣା ସରକାର ସମର୍ଥନ ମଧ୍ୟ କରିଥିଲେ। ଏବେ ଗୋଆ ମୁଖ୍ୟମନ୍ତ୍ରୀ ମଧ୍ୟ ପରିବାରର ଦାବିକୁ ସମର୍ଥନ କରିଛନ୍ତି । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ସୋନାଲି ଫୋଗଟ ମାମଲାରେ ଗୋଆ ପୁଲିସର ତଦନ୍ତ ଠିକ ଭାବେ ଚାଲିଛି। ପୁଲିସକୁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। କିନ୍ତୁ ସୋନାଲିଙ୍କ ଝିଅ ସିବିଆଇ ଦ୍ୱାରା ତାଙ୍କ ମା’ଙ୍କ ମୃତ୍ୟୁର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ଏଭଳି ପରିସ୍ଥିତିରେ ଆଜି ଆମେ ସିବିଆଇକୁ ମାମଲା ଦେବାକୁ ସୁପାରିଶ କରିଛୁ। ମୁଁ ନିଜେ ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଏହି ମାମଲାରେ ସିବିଆଇ ତଦନ୍ତ କରାଯାଉ ବୋଲି କହିଛି। ସୂଚନାଯୋଗ୍ୟ ଯେ, ସର୍ବ ଜାତୀୟ ଖାପ ମହାପଞ୍ଚାୟତ ରବିବାର ବିଜେପି ସରକାରକୁ ସେପ୍ଟେମ୍ବର ୨୩ ତାରିଖ ଭିତରେ ସୋନାଲି ମୃତ୍ୟୁ ମାମଲାର ତଦନ୍ତ ସିବିଆଇକୁ ଦେବାକୁ ଅଲ୍ଟିମେଟମ୍ ଦେଇଥିଲା। ହିସରାର ଜାଟ୍ ଧର୍ମଶାଳାରେ ମହାପଞ୍ଚାୟତ ଆୟୋଜିତ ହୋଇଥିଲା। ଏଥିରେ ସୋନାଲିଙ୍କ ଝିଅ ଯଶୋଧରା ଓ ପରିବାର ଅନ୍ୟ ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ।