ପିଲାଦିନ ରଥଯାତ୍ରା
ପିଲାଦିନେ କେବେ ରଥଯାତ୍ରା ଦେଖିଥିଲି ସଠିକ ମନେ ନାହିଁ l ହେଲେ ଭାବନା ରେ ଯାହା ଆସିଲା କଳ୍ପନା କରି ମହାପ୍ରଭୁ ଙ୍କ ଘୋଷଯାତ୍ରା ର କିଂଚିତ ରଚନା କରୁଛି l ଏମିତି ତ ରଥଯାତ୍ରା ଦୃଶ୍ୟ ଦେବତାଙ୍କ ପକ୍ଷେ ଅବର୍ଣ୍ଣନୀୟ l ଯାହା ମନକୁ ଆସିଲା ତାଙ୍କରି ଶ୍ରୀଚରଣେ ସମର୍ପଣ କରି ଦେଉଛି l
ପିଲାଦିନ ରଥଯାତ୍ରା
******
ପ୍ରଫୁଲ୍ଲ ଟ୍ରେକର ଗାଡି,
ଅଠର ବସନ୍ତି ଭିଡି,
ଷାଠିଏ ସତୁରି ସ୍ପିଡି,
ଶ୍ରୀକ୍ଷେତ୍ର କୁ ଯାଉ ମାଡି l
ଅପୂର୍ଵ ଜଗାର ବାଡ଼ି,
ରଥ ପରେ ଭିଡା ଭିଡି,
କେ ତଳେ ଗଲାଣି ପଡି,
ପୁଲିସ ଚିପୁଚି ନାଡି l
ଠାକୁରେ ଧାଡି କୁ ଧାଡି,
ରଥ ରେ ଯାଆନ୍ତି ଚଢି,
ଘଣ୍ଟା,ଘଣ୍ଟି,ଖୋଳ ରଡି,
ଟାହିଆ ନେଲା କେ ଭିଡି l
ଚପଲ ଗଲାଣି ଛିଡି,
ପ୍ରଫୁଲ୍ଲ ଟାଣୁଛି ବିଡି,
ବାପା ଛାଡିଲେଣି ରଡି,
କାଳେ ଦେବି ହାତ ଛାଡି l
ବାପାଙ୍କ କାନ୍ଧରେ ଚଢି,
ବେନି ନେତ୍ର ମୋର ଫାଡ଼ି,
ଦେଖିଲି ନାଲିଆ ଥୋଡି,
ପ୍ରଣମିଲି ହାତ ଯୋଡ଼ି l
ଅତୁଲ ନନା ଖେଚୁଡ଼ି,
ଡାଲମା ଛୁଙ୍କ କୁ ନାଡି,
ନ ତୁଣ କରି ସାଇଡି,
ଖାଇଯା ପତରେ ବାଢି l
ରାଜା ପାଲିଙ୍କି ରେ ଚଢି,
ହାତେ ଧରି ସୁନା ଖାଡ଼ି,
ତିନି ରଥ ଦେଲେ ଝାଡ଼ି,
ରଥ ଯିବ ଗଡି ଗଡି l
ଆକାଶ ରେ ଘଡ ଘଡି,
ବାଦଲ ଯାଉଛି ଉଡି,
ବରଷିଲା କୁଣ୍ଡା ଝାଡ଼ି,
ଓଦା ହେଲା ବୋଉ ଶାଢ଼ୀ l
ଡାହୁକ ହଲାଏ ବାଡ଼ି,
ଶୁଭୁ ନାହିଁ ତାର ରଡି,
ଭକତେ ଧରି ଦଉଡି,
ରଥ ନେଲେ ଭିଡି ଭିଡି l
ଧନ୍ୟ ପ୍ରଭୁ ଜଗନ୍ନାଥ,
ଧନ୍ୟ ତୋର ଘୋଷଜାତ,
ଧନ୍ୟ ତୋର ଏ ଭକତ,
ଜୀବନ ତା ସମର୍ପିତ l
ଲେଖା :ଦିଲ୍ଲୀପ ଶତପଥୀ