ଭୁବନେଶ୍ୱରରେ ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ ମୌସୁମୀ ବୈଠକର ଶୁଭାରମ୍ଭ
ଭୁବନେଶ୍ୱର- ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଛି ମୌସୁମୀ ବୈଠକ ୨୦୨୪। କେନ୍ଦ୍ର ସତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ଲୋକସେବା ଭବନରେ କେନ୍ଦ୍ର ପ୍ରାଣୀସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ପଶୁ ସମ୍ପଦ ବିକାଶ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ ମତ୍ସ୍ୟ ଚାଷକୁ ବ୍ୟାପକ କରିବା ପାଇଁ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ସୁଦୂରପ୍ରସାରୀ ବିକାଶ ଏବଂ ଏହାର ନିରନ୍ତରତା ବଜାୟ ରଖିବା ସମ୍ପର୍କରେ ବ୍ୟାପକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ଆଗାମୀ ୫ ବର୍ଷରେ ୧୪୨୩. ୪୭ କୋଟି ଟଙ୍କା ବ୍ୟୟବରାଦରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପ୍ରଣୟନ କରାଯିବ। କ୍ଷୁଦ୍ର ଦୁଗ୍ଧ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା, ଗୋଶାଳା ପ୍ରତିଷ୍ଠା, ସବସିଡିଯୁକ୍ତ ଗୋଖାଦ୍ୟ ଯୋଗାଇବା, ପଶୁପାଳନ ବୀମା ଅଧୀନରେ କଭରେଜ୍ ବୃଦ୍ଧି ଏବଂ ଦୁଗ୍ଧ ସମବାୟ ସମିତିକୁ ମଜବୁତ କରିବାରେ ସହାୟକ ହେବ ଏହି ଯୋଜନା।