ଓଡ଼ିଶାମୁଖ୍ୟ ଖବର

ଆଜି କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରିବା ସହ ୮୬୦ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିଥିଲେ । ଭବାନୀପାଟଣାର ଓୟୁଏଟି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ସହ ୮୬୦ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଜିଲ୍ଲାର ପ୍ରାୟ ୧୪ ଲକ୍ଷ ଲୋକ ଏହି ସୁବିଧା ପାଇବେ । କଳାହାଣ୍ଡି ସହିତ ରାଜ୍ୟର ୯ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ସ୍ୱାସ୍ଥ୍ୟ ଇତିହାସରେ ନୂଆ ଯୁଗ ଆରମ୍ଭ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦେଶରେ ଏକ ମାଇଲଖୁଣ୍ଟ । ଏହି ଯୋଜନା ମାଧ୍ୟମରେ ଲୋକେ ସ୍ୱାସ୍ଥ୍ୟସେବା ପାଇପାରିବେ । କଳାହାଣ୍ଡି ଆଜି ସବୁ କ୍ଷେତ୍ରରେ ବେଶ୍ ସଫଳତାର ସହିତ ଆଗେଇ ଚାଲିଛି । ଗତ ଜୁନ୍ ମାସରେ କଳାହାଣ୍ଡି ଆସି ସେ ଇନ୍ଦ୍ରାବତୀ ଲିଫ୍ଟ କେନାଲ ପ୍ରକଳ୍ପ ଉଦ୍ଘାଟନ କରିଥିଲେ ବୋଲି ମନେ ପକାଇ କହିଲେ ଯେ ଆଜି ଜିଲ୍ଲାର ୬୮ ପ୍ରତିଶତ ଜମିରେ ଜଳସେଚନର ସୁବିଧା ମିଳୁଛି । କଳାହାଣ୍ଡିର ଚାଷୀ ଆଜି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି । ଜିଲ୍ଲାର ଧାନ ଉତ୍ପାଦନ ୭୪ ଲକ୍ଷ ଟନରେ ପହଞ୍ଚିବା ବେଳେ, ମାଛ ଉତ୍ପାଦନରେ ଜାତୀୟ ପୁରସ୍କାର ମଧ୍ୟ ପାଇପାରିଛି । କପା ଉତ୍ପାଦନରେ କଳାହାଣ୍ଡି ସାରା ରାଜ୍ୟରେ ପ୍ରଥମ ବୋଲି ପ୍ରକାଶ କରି କହିଥିଲେ ଯେ ଏବର୍ଷ କପା ପାଇଁ ବଜାରରେ ଭଲ ଦାମ ମିଳୁଥିବାରୁ ଚାଷୀର ରୋଜଗାର ବଢିଛି । ଏଥିପାଇଁ ସେ ଖୁସି ପ୍ରକାଶ କରିଥିଲେ ।

ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜିଲ୍ଲାରେ ଭିତ୍ତିଭୂମି କାମ ଖୁବ୍ ଦ୍ରୁତ ଗତିରେ ଜାରି ରହିଛି । ଜିଲ୍ଲାର ପ୍ରତି ଗାଁକୁ ପାଇପ ପାଣି ଯୋଗାଇ ଦେବାପାଇଁ ୨୫୦୦ କୋଟି ଟଙ୍କାର ପ୍ରକଳ୍ପ ଜାରି ରହିଛି ବୋଲି ସେ କହିଥିଲେ । ବିଜୁ ଏକ୍‌ସପ୍ରେସ ୱେ ହେଉ, ଭବାନୀପାଟଣା ବାଇପାସ୍‌, ଭବାନୀପାଟଣା-ରାୟଗଡ଼ା ରାସ୍ତା କାମ, ବିଭିନ୍ନ ଗ୍ରିଡ ସବ୍‌ଷ୍ଟେସନ କାମ, କେସିଙ୍ଗାରେ ବସ୍ତି ଲୋକଙ୍କ ଥଇଥାନ କାମ – ଏମିତି ସବୁ କ୍ଷେତ୍ରରେ କଳାହାଣ୍ଡି ବେଶ୍ ସଫଳତାର ସହ ଆଗେଇ ଚାଲିଛି ବୋଲି ସେ କହିଥିଲେ। କଳାହାଣ୍ଡିରେ ମିଶନ ଶକ୍ତିର ମା’ମାନେ ମଧ୍ୟ ଧାନ ସଂଗ୍ରହ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ନୀତି ଆୟୋଗର ମାନ୍ୟତା ମଧ୍ୟ ପାଇଛି ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ କଳାହାଣ୍ଡି ଆଜି ଏକ ବିଶିଷ୍ଟ ଶିକ୍ଷାକେନ୍ଦ୍ର ହୋଇପାରିଛି । କଳାହାଣ୍ଡି ୟୁନିଭରସିଟି, କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜ, ସରକାରୀ କୃଷି ମହାବିଦ୍ୟାଳୟ ଆଜି କଳାହାଣ୍ଡିର ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ମତ ଦେଇ ସେ କହିଥିଲେ ଯେ କଳାହାଣ୍ଡିରେ ଶହେ ଆସନ ବିଶିଷ୍ଟ ସରକାରୀ ମେଡିକାଲ କଲେଜର ନିର୍ମାଣ କାମ ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି ।

ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦାସ ଓ ୫-ଟି ସଚିବ ଭି କେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ ।

Show More

Related Articles

Back to top button