
ରାଜ୍ୟ ସରକାର ଯେଉଁ କୋଭିଡ୍ ଟିକା ନିଜସ୍ୱ ପାଣ୍ଠିରୁ କିଣିବେ ସେ ଟିକା ଉପରେ ଜିଏସ୍ଟି ଛାଡ଼ କରାଯାଉ। ଏହାଛଡ଼ା କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସେସ୍ ଓ ସରଚାର୍ଜ ପାଣ୍ଠିରୁ ଟିକାକରଣ ପାଇଁ ସହାୟତା ଦିଅନ୍ତୁ। ଆଜି ଏମିତି ଅନୁରୋଧ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ଏ ପଦକ୍ଷେପ ଦ୍ୱାରା ବହୁ ଗରିବ ରାଜ୍ୟ ନିଜସ୍ୱ ପାଣ୍ଠିରୁ ମଧ୍ୟ ଟିକାକରଣ ଅଭିଯାନକୁ ବ୍ୟାପକ କରିପାରିବେ। ରାଷ୍ଟ୍ରନାୟକର ମନୋଭାବ ନେଇ ନବୀନ କେନ୍ଦ୍ରକୁ ଦେଇଥିବା ଏ ପ୍ରସ୍ତାବ କେବଳ ଓଡ଼ିଶା ନୁହେଁ ବହୁ ଗରିବ ରାଜ୍ୟକୁ ବେଶ ଲାଭ ଦେବ ବୋଲି ଚର୍ଚ୍ଚା ହେଉଛି।ନିର୍ମଳାଙ୍କୁ ଲେଖିଥିବା ଚିଠିରେ ନବୀନ ଦର୍ଶାଇଛନ୍ତି, ସମଗ୍ର ଦେଶ ମହାମାରୀ କରୋନା କାରଣରୁ ଏବେ ଯୁଦ୍ଧଭଳି ପରିସ୍ଥିତି ଦେଇ ଗତି କରୁଛି । ଦେଶକୁ କରୋନା ବିରୋଧରେ ଲମ୍ବା ଲଢ଼େଇ ପାଇଁ ଟିକାକରଣ ଜରୁରି । ତେଣୁ ରାଜ୍ୟ ସରକାରଙ୍କୁ ନିଜସ୍ୱ ପାଣ୍ଠିରୁ ୧୮ରୁ ୪୫ ବର୍ଷ ଲୋକଙ୍କ ପାଇଁ ଟିକା କିଣିବାକୁ କେନ୍ଦ୍ର ପ୍ରସ୍ତାବ ଦେଉ । ମାତ୍ର ଏ ଟିକା କ୍ରୟ ଉପରେ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ ହେଉ । ଏହାଦ୍ୱାରା ଟିକାର ଦାମ୍ କମ ରହିବ । ରାଜ୍ୟଗୁଡ଼ିକ ନିଜସ୍ୱ ପାଣ୍ଠିରୁ ଟିକା କିଣିବାକୁ ଆଗ୍ରହ ପ୍ରକାଶ କରିବେ । ଟିକାକରଣ ଅଭିଯାନ ଆହୁରି ବ୍ୟାପକ ହୋଇପାରିବ । କରୋନା ଲଢ଼େଇ ପାଇଁ ଏହା ଅତି ଜରୁରି ।
ଏହାଛଡ଼ା ମୁଖ୍ୟମନ୍ତ୍ରୀ ଆଉ ଏକ ପ୍ରସ୍ତାବ ଦେଇଛନ୍ତି ଯେ କରୋନା ବିରୋଧୀ ଯୁଦ୍ଧରେ ବିଜୟ ପାଇଁ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଲଢ଼ିବାକୁ ହେବ । ରାଜ୍ୟଗୁଡ଼ିକୁ ଆର୍ଥିକ ସହଯୋଗ ଦେଲେ ଯାଇ ହିଁ ଟିକାକରଣ ଆହୁରି ତେଜୀୟାନ୍ ହେବ । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍ ଓ ମଦ ଉପରେ ଯେଉଁ ସେସ୍ ଏବଂ ସରଚାର୍ଜ ଆଦାୟ କରୁଛନ୍ତି ସେଥିରୁ ରାଜ୍ୟଗୁଡ଼ିକୁ ପାଣ୍ଠି ଦିଅନ୍ତୁ । ଏଭଳି ଜରୁରିକାଳୀନ ପରିସ୍ଥିତିରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ଏ ପାଣ୍ଠିରୁ ଭାଗ ଦେଲେ ତାହା ରାଜ୍ୟଗୁଡ଼ିକୁ ଆର୍ଥିକ ଦୃଷ୍ଟିରୁ ବଳୁଆ କରିବ । ରାଜ୍ୟ ସରକାରମାନେ ଟିକାକରଣକୁ ଆଗେଇ ନେବାରେ ବାଧା ରହିବନି । କରୋନା ଯୁଦ୍ଧରେ ଆମକୁ ବିଜୟଲାଭ କରିବାକୁ କେନ୍ଦ୍ର ଏ ଦୁଇଟି ପ୍ରସ୍ତାବ ଉପରେ ବିଚାର କରି ତ୍ୱରିତ ପଦକ୍ଷେପ ନେବାକୁ ସୀତାରମଣଙ୍କୁ ନବୀନ ଅନୁରୋଧ କରିଛନ୍ତି ।ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବୟସ୍କଙ୍କ ଲାଗି କେନ୍ଦ୍ର ମାଗଣା ଟିକା ଯୋଗାଇ ଦେଉଛି । ରାଜ୍ୟ ସରକାର କିନ୍ତୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ କୋଭିଡ୍ ଟିକାକରଣ ମାଗଣାରେ କରିବେ ବୋଲି ଘାଷଣା କରିଛନ୍ତି । ୧୮ରୁ ୪୪ ବର୍ଷ ବୟସ୍କଙ୍କ ଲାଗି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଟିକା କିଣୁଛନ୍ତି । ଟିକା ଉପରେ ଜିଏସ୍ଟି ଲାଗିଥିବାରୁ ଟିକା ଦର ରାଜ୍ୟ ପାଇଁ ଅଧିକ ହେଉଛି । କେବଳ ଓଡ଼ିଶା ନୁହେଁ ବହୁ ରାଜ୍ୟର ଆର୍ଥିକ ସମସ୍ୟାକୁ ଧ୍ୟାନରେ ରଖି ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ନବୀନ କେନ୍ଦ୍ରକୁ ଏ ଦୁଇଟି ପ୍ରସ୍ତାବ ଦେଇଛନ୍ତି ।