Breaking PLUSଓଡ଼ିଶାମୁଖ୍ୟ ଖବର

୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍

ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 14 ଫେବୃଆରୀ –  ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଓଡିଶା ଜୀବିକା ମିଶନ ୨୦୧୨ ମସିହା ଅପ୍ରେଲ ୧ ତାରିଖରୁ କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାର ଆଭିମୁଖ୍ୟ ଅନୁଯାୟୀ ଗ୍ରାମୀଣ ପରିବାରମାନଙ୍କର ଜୀବନ ଜୀବିକାରେ ଉନ୍ନତି ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ପରିବାରର ମହିଳାମାନଙ୍କୁ ସାମିଲ କରାଯାଉଅଛି । ପୁନର୍ବାର ଏହି ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ସାମାଜିକ ତଥା ଅର୍ଥନୈତିକ ସହାୟତା ପ୍ରଦାନ କରିବା ପାଇଁ ସେମାନଙ୍କୁ ଗ୍ରାମ ଓ ପଞ୍ଚାୟତସ୍ତରରେ ସଂଗଠିତ କରାଯାଉଅଛି। ଏହି ସ୍ଵୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ମଞ୍ଚ ଏବଂ ଗ୍ରାମ ପଞ୍ଚାୟତ ସଂଘ ଗୁଡିକୁ ସୁଦୃଢ ଓ ସଶକ୍ତ କରିବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କୁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଦ୍ଵାରା ନିଯୁକ୍ତି ଦିଆଯାଇଥିଲା ।

କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ମଧ୍ୟରେ କମ୍ୟୁନିଟି ରିସୋର୍ସ ପର୍ସନ ଫର୍ କମ୍ୟୁନିଟି ମୋବିଲାଇଜେସନ, ମାଷ୍ଟର ବୁକ୍କିପର, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ଅନ୍ତର୍ଭୁକ୍ତ ଅଟନ୍ତି l ରାଜ୍ୟରେ ମୋଟ ୬୨,୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନିଯୁକ୍ତ କରାଯାଇଥିଲା ।

ଓଡିଶା ଜୀବିକା ମିଶନର ପତ୍ର ସଂଖ୍ୟା ୫୭୪, ତାରିଖ ୨୫.୦୨.୨୦୧୯ରେ  କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରଯାଇଥିଲା । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦକୁ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘମାନଙ୍କୁ ୨୦୧୯ ଏପ୍ରିଲ ୧  ତାରିଖଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ହାରରେ ପାଣ୍ଠି ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା । ନିଯୁକ୍ତିର ପ୍ରଥମ ତିନି ବର୍ଷ ୧୦୦ ପ୍ରତିଶତ, ଚତୁର୍ଥ ବର୍ଷରେ ୭୫ ପ୍ରତିଶତ ଓ ପଞ୍ଚମ ବର୍ଷରେ ୫୦ ପ୍ରତିଶତ ହିସାବରେ ପାଣ୍ଠି ପ୍ରଦାନ କରିବାର ବ୍ୟବସ୍ଥା ରହିଥିଲା । କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦକୁ ଚତୁର୍ଥ ବର୍ଷରେ ୨୫ ପ୍ରତିଶତ, ପଞ୍ଚମ ବର୍ଷରେ ୫୦ ପ୍ରତିଶତ ଏବଂ ପଞ୍ଚମ ବର୍ଷ ପରେ ସମୁଦାୟ ୧୦୦ ପ୍ରତିଶତ ପାଣ୍ଠି ପଞ୍ଚାୟତସ୍ତରୀୟ ସଂଘମାନେ ନିର୍ଦ୍ଦେଶାବଳୀ ଅନୁଯାୟୀ ବହନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l

ମାତ୍ର ଏହା ପରିଲକ୍ଷିତ ହେଉଅଛି ଯେ, ବିଗତ ସରକାରଙ୍କ ଇଛା ଶକ୍ତିର ଅଭାବ  ଯୋଗୁ ଜିପିଏଲଏଫ ମାନେ ସ୍ୱୟଂ ସମ୍ପୂର୍ଣ୍ଣ ହୋଇ ପାରି ନାହାନ୍ତି । ତେଣୁ,  କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ଦଶ ମାସ ଧରି ପାରିଶ୍ରମିକ ପାଇ ପାରିନାହାନ୍ତି lଆମ ସରକାର ମା’ମାନଙ୍କର ସମସ୍ୟା ପ୍ରତି ସମ୍ବେଦନଶୀଳ ଅଛନ୍ତି l ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କର ଆର୍ଥିକ ଅଭିବୃଦ୍ଧି କରାଇବା ଲକ୍ଷ୍ୟ ନେଇ “ଲକ୍ଷପତି ଦିଦି ଯୋଜନା” କାର୍ଯ୍ୟକାରୀ ହେଉଅଛି l ଏହି ଯୋଜନାରେ ଅଧିକରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କାର ରୋଜଗାରକ୍ଷମ କରାଇବା ପାଇଁ ପ୍ରୟାସ କରାଯାଉଅଛି । ରାଜ୍ୟ ସରକାର ୨୦୨୭ ମସିହା ସୁଦ୍ଧା  ୨୫ ଲକ୍ଷ “ଲକ୍ଷପତି ଦିଦି” ସୃଷ୍ଟି କରିବାପାଇଁ ଲକ୍ଷ୍ୟ ରଖିଛନ୍ତି ।

ଏତଦ୍ ବ୍ୟତୀତ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରି ସମୃଦ୍ଧ ଓଡିଶା ଗଢିବା ଆମ ସରକାରଙ୍କ ଉଦ୍ଦେଶ୍ୟ । ଏଥିପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମା’ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।  ତେଣୁ, ସେମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ, ଆମ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । “ଲକ୍ଷପତି ଦିଦି ସହାୟିକା ଯୋଜନା” ନାମକ ଏକ ନୂତନ ଯୋଜନା ମୁଁ ଘୋଷଣା କରୁଛି l ଏହି ଯୋଜନା ମାଧ୍ୟମରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ ଏବଂ ଏଥିପାଇଁ  ଜିପିଏଲଏଫ ମାନଙ୍କୁ ଅନୁଦାନ ପ୍ରଦାନ କରିବେ l ଏହି ନିଷ୍ପତ୍ତି ଦ୍ଵାରା ୬୨ ହଜାରରୁ ଉର୍ଦ୍ଧ୍ଵ କମ୍ୟୁନିଟି ସପୋର୍ଟ ଷ୍ଟାଫ ଲାଭବାନ ହେବେ ଏବଂ ସେମାନେ ଏପ୍ରିଲ ୨୦୨୪ ଠାରୁ ତାଙ୍କର ପାରିଶ୍ରମିକ ପାଇବେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button