ଆଜିଠୁ ରାଜ୍ୟରେ କମିବ ଥଣ୍ଡା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହୋଇଛି । ତେଣୁ ସମୁଦ୍ରରୁ ସ୍ଥଳଭାଗକୁ ଜଳୀୟବାଷ୍ପ ଆସିବ । ପ୍ରଭାବରେ ଏହା ରାତି ତାପମାତ୍ରା ବୃଦ୍ଧି କରିବା ସହ ହ୍ରାସ ପାଇବ ଶୀତ । ଓଡ଼ିଶା ଉପରେ ବାତ୍ୟାର ସିଧାସଳଖ ପ୍ରଭାବ ନପଡିଲେ ମଧ୍ୟ ହାଲୁକା ପ୍ରଭାବ ରହିବ । ଦକ୍ଷିଣ ଓଡ଼ିିଶାର ଜିଲ୍ଲା ସମେତ ଆଉ କିଛି ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ବଙ୍ଗୋପସାଗର ଉପକୂଳରେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୯ ଓ ୧୦ ତାରିଖ ପାଗ କୋହଲା ରହିବ । ୯ରେ ରାତି ତାପମାତ୍ରା ୪ ଡିଗ୍ରୀ ବଢ଼ିଯିବ । ଦିନରେ ପାଗ କୋହଲା ରହିବ । ପରବର୍ତ୍ତୀ ୫ଦିନ ଯାଏ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ ।୯ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିବ । ୧୦ରେ ରାତି ସମୟର ତାପମାତ୍ରା ପ୍ରାୟ ୫ ଡିଗ୍ରୀ ବଢ଼ିବ ।
ସେହିପରି ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନଅନୁଯାୟୀ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ବୁଧବାର ସନ୍ଧ୍ୟାରେ ବାତ୍ୟା ରୂପ ନେବ । ଗୁରୁବାର ସକାଳ ସୁଦ୍ଧା ଏହା ଉତ୍ତର ତାମିଲନାଡୁ ଓ ପଣ୍ଡିଚେରୀ ଏବଂ ଏହାର ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବନି ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ୧୦ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ୧୧ରେ ମାଲକାନଗିରି, କୋରାପୁଟ, ରାୟଗଡା ଓ ନବରଙ୍ଗପୁରରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।