
ଚାଷୀ କୂଳ ପାଇଁ ଭଲ ଖବର । ବର୍ଷା ଅଭାବ ସ୍ଥିତି ଦୂର ହୋଇପାରେ ଦ୍ୱିତୀୟ ସପ୍ତାହରୁ । ଅନୁମାନ କରାଯାଉଛି, ଆସନ୍ତା ୧୦ ତାରିଖରୁ କ୍ରମଶଃ ବଢ଼ିବ । ୧୨ରୁ ଅଧିକ ବର୍ଷା ହେବ । ଆସନ୍ତା ୨୦/୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହେବ । ଆଗକୁ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ହିଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ବିଦେଶୀ ପାଣିପାଗ ସଂସ୍ଥା ଜିଏଫଏସ୍ ପୂର୍ବାନୁମାନ କରିଛି ।ରାଜ୍ୟରେ ଚଳିତବର୍ଷ ବର୍ଷା ଅଭାବ ରହିଛି । ଜୁନ୍ ପହିଲାରୁ ଏଯାଏଁ ରାଜ୍ୟରେ ୨୦୯.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହା ସ୍ୱାଭାବିକଠାରୁ ୧୮% କମ୍। ଏବେ ବି ୧୪ଟି ଜିଲ୍ଲାରେ ବର୍ଷା ନିଅଣ୍ଟିଆ ଅଛି । ଭଦ୍ରକରେ ୫୭% ବର୍ଷା କମ୍ ରହିଥିବାବେଳେ ଗଜପତିରେ ୫୩%, କେନ୍ଦୁଝରରେ ୪୫%, ଯାଜପୁରରେ ୪୬%, ଗଞ୍ଜାମରେ ୩୯%, ବଲାଙ୍ଗିରରେ ୩୮% ବର୍ଷା ଅଭାବ ରହିଛି । ଏହାବାଦ୍ ଦେବଗଡ଼, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଅନୁଗୁଳରେ ବର୍ଷା କମ୍ ରହିଛି । କୋରାପୁଟରେ ଅତ୍ୟଧିକ ବର୍ଷା ଥିବାବେଳେ ରାଜ୍ୟର ବାକି ୧୫ ଜିଲ୍ଲାରେ ବର୍ଷା ସ୍ୱାଭାବିକ ଅଛି। ଏଥିମଧ୍ୟରୁ ସୋନପୁର, ସମ୍ବଲପୁର, ନୟାଗଡ଼, ଢେଙ୍କାନାଳରେ ଆଉ ଦିନେ ଦୁଇଦିନ ବର୍ଷା ନହେଲେ ସ୍ଥିତି ନିଅଣ୍ଟିଆ ହୋଇଯିବ।
ପାଣିପାଗ ମଡେଲ୍ କହୁଛି, ଆସନ୍ତା ୧୨ ତାରିଖ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବର୍ଷା ସମ୍ଭାବନା ଅଛି । ଏହା ପ୍ରଭାବରେ ୧୨ରୁ ୧୫ ଯାଏଁ ବର୍ଷା ହେବ। ସେହିପରି ୧୭ ତାରିଖବେଳକୁ ପୁଣି ପଶ୍ଚିମ କେନ୍ଦ୍ରୀୟ ବଙ୍ଗେପେସାଗରରେ ଆଉ ଏକ ଲଘୁଚାପ ହୋଇପାରେ। ଏହା ପ୍ରଭାବରେ ୨୦/୨୧ ତାରିଖ ଯାଏଁ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ଅଛି।ପାଣିପାଗ ବିଭାଗ କହିଛି, ବର୍ତ୍ତମାନ ମୌସୁମୀ ସ୍ୱାଭାବିକ ଅବସ୍ଥାରେ ନାହିଁ । ତେଣୁ ବର୍ଷା ବିସ୍ତୃତ ଅଞ୍ଚଳରେ ହେଉନାହିଁ । ତଥାପି ପ୍ରତିଦିନ କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ମଙ୍ଗଳବାର କଟକ, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବୁଧବାର ବର୍ଷା ବଢ଼ିପାରେ । ବୁଧବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି ଓ ଜଗତସିଂହପୁରର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ।