
ପୁଣି ଫେରିଲା କୋଭିଡ୍ ନିୟମ। ଏଣିକି ମାସ୍କ ବାଧ୍ୟତାମୂଳକ। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଧୀରେ ଧୀରେ ବଢ଼ୁଥିବାରୁ ଚିନ୍ତାବ୍ୟକ୍ତ କରିଛନ୍ତି ରାଜ୍ୟ ସରକାର। ସମସ୍ତ ପବ୍ଲିକ୍ କାର୍ଯ୍ୟକ୍ରମଗୁଡ଼ିକରେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି। କୋଭିଡ୍ କଟକଣା ନେଇ ଡେପୁଟି ଚିଫ୍ ସେକ୍ରେଟାରୀ ଡ. ପ୍ରଦୀପ ଭ୍ୟାସ୍ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମାର ସାଧାରଣ ସ୍ଥାନଗୁଡ଼ିକରେ ମାସ୍କକୁ ବାଧ୍ୟତାମୁଳକ କରାଯାଇଛି। ଏଥିରେ କୁହାଯାଇଛି ଯେ ପବ୍ଲିକ୍ ପ୍ଲେସ୍ ଯଥା- ବସ, ଟ୍ରେନ୍, ସିନେମା, ଅଡିଟୋରିୟମ, ଅଫିସ, ହସ୍ପିଟାଲ୍, କଲେଜ ଓ ସ୍କୁଲ୍ରେ ମାସ୍କ ନିଶ୍ଚିତ ପିନ୍ଧିବା ଦରକାର।
ରାଜ୍ୟରେ କରୋନା ଟେଷିଂ କମୁଥିବା ବେଳେ ସଂକ୍ରମଣ ବଢ଼ୁଛି। ତେଣୁ ରାଜ୍ୟରେ ଅଧିକ ଟେଷ୍ଟିଂ କରାଇବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଜୁନ ୧ ତାରିଖର ସଂଖ୍ୟା ୧୦୦୦ ଚୁଇଁଥିଲା। ଯାହା ଫେବ୍ରୁଆରୀ ୨୪ ତାରିଖ ପରେ ସର୍ବାଧିକ। ପୁଣି BA.4 and BA.5 ଭ୍ୟାରିଏଣ୍ଟ ମଧ୍ୟ ଚିହ୍ନଟ ହୋଇଥିଲା। ତେଣୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାକୁ ସତର୍କ କରାଇଛି।