ସିପିଇଟି ପରୀକ୍ଷା ପାଇଁ ଆବେଦନ କରିବାର ସମୟ ସୀମାକୁ ବୃଦ୍ଧି

ଭୁବନେଶ୍ୱର- ସିପିଇଟି ପରୀକ୍ଷା ପାଇଁ ଆବେଦନ କରିବାର ସମୟ ସୀମାକୁ ବୃଦ୍ଧି କରାଯାଇଛି। ଆବେଦନର ସମୟ ସୀମାକୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ସିପିଇଟି ପରୀକ୍ଷା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୨୨ ତାରିଖ ରାତି ୧୧.୪୫ ଘଟିକା ପର୍ଯ୍ୟନ୍ତ ସାମ୍ସ (SAMS) ପୋର୍ଟାଲକୁ ଯାଇ ନିଜର Common Application Form (CAF) ପୂରଣ କରିପାରିବେ।
ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମସୟସୀମା ଅନୁସାରେ, ସିପିଇଟି ପରୀକ୍ଷା ଆବେଦନ ପାଇଁ ମାର୍ଚ୍ଚ ୧୮ ତାରିଖ ଶେଷ ତାରିଖ ରହିଥିଲା। କିନ୍ତୁ, ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆବେଦନର ସମୟସୀମାକୁ ବୃଦ୍ଧି କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ ଯେ, ୨୦୨୬-୨୭ ଶିକ୍ଷାବର୍ଷରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନଙ୍କୁ ସିପିଇଟି ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ପଡ଼ିବ। ସିପିଇଟି ପ୍ରବେଶିକା ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ।
ଏଥିସହ ଜୁଲାଇ ୧୦, ୨୦୨୬ ରିଖ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସଠିକ ସମୟରେ ସ୍ନାତକୋତ୍ତର ପାଠ୍ୟକ୍ରମର ପାଠପଢ଼ା ସମାପ୍ତ ହେବା ସହ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ, ଯାହାଦ୍ୱାରା ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ।



