ଓଡ଼ିଶା ୫୮.୨୩ ସ୍କୋର ସହିତ ପଞ୍ଚମ ସ୍ଥାନରେ ରହିଛି। ପ୍ରଥମ ଚାରିଟି ସ୍ଥାନରେ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ ଓ ରାଜସ୍ଥାନ ରହିଛନ୍ତି। ରାଜ୍ୟଗୁଡ଼ିକର ରପ୍ତାନି ପ୍ରସ୍ତୁତି ରୢାଙ୍କିଙ୍ଗ୍ ନିର୍ଧାରଣ କରିବା ଲାଗି ପ୍ରଚଳନରେ ଥିବା ନୀତି, ବ୍ୟବସାୟ ପରିବେଶ, ରପ୍ତାନି ଭିତ୍ତିଭୂମି ଓ ରପ୍ତାନି ପ୍ରଦର୍ଶନକୁ ବିଚାରକୁ ନିଆଯାଇଥିଲା। ମୋଟ ୫୫ ପ୍ରକାର ମାନଦଣ୍ଡକୁ ନେଇ ରାଜ୍ୟଗୁଡ଼ିକୁ ସ୍କୋର ପ୍ରଦାନ କରାଯାଇଛି।ଓଡ଼ିଶା ଅନେକ ମାନଦଣ୍ଡରେ ୧୦୦ ସ୍କୋର କରିଛି। ଏକ ବୈଧ ନୀତି, ମାର୍କେଟିଂ ସହାୟତା, ଉତ୍ପାଦର ଗୁଣାତ୍ମକ ମାନ ଓ ମାନକ, ରପ୍ତାନି ପାଇଁ ଗୁରୁତ୍ବ ଦିଆଯାଉଥିବା କ୍ଷେତ୍ର, ପୂର୍ଣ୍ଣକାଳୀନ ରପ୍ତାନି କମିସନର ନିଯୁକ୍ତ କରିବା, ରାଜ୍ୟ-କେନ୍ଦ୍ର ସମନ୍ବୟ ସେଲ୍ର ବ୍ୟବସ୍ଥା, ରପ୍ତାନିକାରୀଙ୍କ ପାଇଁ ଜ୍ଞାନ ଓ ସୂଚନା ପୋର୍ଟାଲ୍, ଦକ୍ଷତା ଗଠନ/ଓରିଏଣ୍ଟେସନ କର୍ମଶାଳା ଓ ଏନ୍ଏବିଏଲ୍ ଲ୍ୟାବ୍ ଅନୁପାତ ଭଳି ମାନଦଣ୍ଡରେ ଓଡ଼ିଶା ୧୦୦ ସ୍କୋର ହାସଲ କରିଛି।
ରପ୍ତାନି ପ୍ରସାର ନୀତି ବର୍ଗରେ ଓଡ଼ିଶାର ମୋଟ ସ୍କୋର ୮୪.୨୫, ସଂସ୍ଥାଗତ ବ୍ୟବସ୍ଥାରେ ୫୮.୩୨, ବ୍ୟବସାୟ ପରିବେଶରେ ୫୫.୮୧, ଭିତ୍ତିଭୂମିରେ ୮୬.୭୮, ପରିବହନ ଯୋଗାଯୋଗରେ ୫୩.୫୧, ରପ୍ତାନି ପରିବେଶରେ ୬୫.୯୪, ବାଣିଜ୍ୟ ସହାୟତାରେ ୯୧.୧୯, ଗବେଷଣା ଓ ବିକାଶ ଭିତ୍ତିଭୂମିରେ ୫୫.୧୭, ରପ୍ତାନି ପ୍ରଦର୍ଶନରେ ୪୨.୨୯ ଓ ରପ୍ତାନି ବିବିଧତା ବର୍ଗରେ ଓଡ଼ିଶାର ସ୍କୋର ୬୬.୦୪ ରହିଛି।୨୦୨୦ର ରୢାଙ୍କିଙ୍ଗ୍କୁ ଚାରିଟି ବର୍ଗ ଯଥା ଉପକୂଳ, ହିମାଳୟ, ଲ୍ୟାଣ୍ଡ୍ଲକଡ୍ ଓ କେନ୍ଦ୍ର ଶାସିତ ଅଞ୍ଚଳ/ନଗର ରାଜ୍ୟ ଭାବେ ଉପସ୍ଥାପନ କରାଯାଇଛି। ଓଡ଼ିଶା ଉପକୂଳ ରାଜ୍ୟ ବର୍ଗରେ ରହିଛି। ବର୍ତ୍ତମାନ ଦେଶରୁ ହେଉଥିବା ରପ୍ତାନି ପ୍ରତି ପାଞ୍ଚଟି ରାଜ୍ୟର ଅବଦାନ ୭୦ ପ୍ରତିଶତ ରହିଛି। ସେହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ତାମିଲନାଡୁ ଓ ତେଲେଙ୍ଗାନା। ଅର୍ଥନୈତିକ ବିକାଶ ପାଇଁ ରପ୍ତାନି କେତେ ଗୁରୁତ୍ବପୂର୍ଣ୍ଣ ତାହା ଏହି ରିପୋର୍ଟରେ ବର୍ଣ୍ଣନା କରାଯାଇଛି। ଜାପାନ, ଦକ୍ଷିଣ କୋରିଆ ଓ ସିଙ୍ଗାପୁର କିଭଳି ରପ୍ତାନି ଭିତ୍ତିକ ରଣନୀତି ଗ୍ରହଣ କରି ଅର୍ଥନୀତିକୁ ସମୃଦ୍ଧ କରିବାରେ ସଫଳ ହୋଇଥିଲେ ରିପୋର୍ଟରେ ତାହାର ଉଦାହରଣ ଦିଆଯାଇଛି।