
କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ପେସ୍ ବୋଲର ଡେଲ୍ ଷ୍ଟେନ୍ । ପ୍ରଥମେ ସେ ୨୦୧୯ରେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ ଏବଂ ଷ୍ଟେନ୍ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଫେବୃଆରୀ ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ରେ ଖେଳିଥିଲେ ।
ବର୍ଷେ ଧରି ଆହତ ସମସ୍ୟା ଷ୍ଟେନଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲା । ଆହତ ଯୋଗୁ ସେ ଅଧିକାଂଶ ସମୟ ମଇଦାନ ବାହାରେ ରହିଥିଲେ । ଯେଉଁ କାରଣରୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା । ଏବେ ଷ୍ଟେନ୍ ଆନୁଷ୍ଠାନିକ ଭାବେ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଦେଇଛନ୍ତି । ଅବସର ନେଇ ଷ୍ଟେନ୍ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।
୧୭ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ଷ୍ଟେନ୍ ତାଙ୍କର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି, ଆଜି ମୁଁ ଆନୁଷ୍ଠାନିକ ଭାବେ କ୍ରିକେଟରୁ ରିଟାୟର ନେଉଛି, ଯାହାକୁ ମୁଁ ସବୁଠାରୁ ଅଧିକ ଭଲ ପାଏ । ପରିବାର ଠାରୁ ଆରମ୍ଭ କରି ସାଥୀ ଖେଳାଳି, ସାମ୍ବାଦିକଙ୍କ ଠାରୁ ଫ୍ୟାନ୍, ସମସ୍ତଙ୍କୁ ଧନ୍ୟବାଦ। ମୋର କ୍ରିକେଟ୍ ଯାତ୍ରା ଅବିଶ୍ୱସନୀୟ ଥିଲା ।
ଷ୍ଟେନ୍ ନିଜର ସନ୍ନ୍ୟାସ ଘୋଷଣା କରିଥିବା ଚିଠିରେ ଆମେରିକାର ରକ୍ ବ୍ୟାଣ୍ଡ୍ ‘କାଉଣ୍ଟିଂ କ୍ରୋ’ର ଗୀତକୁ ସ୍ମରଣ କରି ନିଜ ଭାବନାକୁ ଉଜାଗର କରିଛନ୍ତି । ଏହି ପେସ୍ ବୋଲର ଜଣକ ଲେଖିଛନ୍ତି, ମୋର ଏହି ୨୦ ବର୍ଷ ଅଭିଯାନ ଟ୍ରେନିଂ, ମ୍ୟାଚ୍, ଯାତ୍ରା, ବିଜୟ, ପରାଜୟ, ଉପଲବ୍ଧି, ଥକାପଣ, ଖୁସି ଓ ଭାଇଚାରାରେ ଭରପୂର ଥିଲା । କହିବା ପାଇଁ ବହୁତ କିଛି ଅଛି । ଅନେକ ଲୋକଙ୍କୁ ଧନ୍ୟବାଦ ଦେବାକୁ ଅଛି । ଏଥିପାଇଁ ମୁଁ ଏହାକୁ ବିଶେଷଜ୍ଞଙ୍କ ଉପରେ ଛାଡ଼ି ଦେଉଛି । ମୋ ପସନ୍ଦର ବ୍ୟାଣ୍ଡ ‘କାଉଣ୍ଟିଂ କ୍ରୋଜ’ ।
୩୮ ବର୍ଷୀୟ ଷ୍ଟେନ୍ ଦକ୍ଷିଣ ଆଫ୍ରିକା ପକ୍ଷରୁ ୯୩ ଟେଷ୍ଟ, ୧୨୫ ଦିନିକିଆ ଓ ୪୭ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଷ୍ଟେନଙ୍କ ନାଁରେ ଟେଷ୍ଟରେ ୪୩୯ ୱିକେଟ୍ ରହିଛି । ସେହିପରି ସେ ଦିନିକିଆରେ ୧୯୬ ଏବଂ ୬୪ ଟି-୨୦ ୱିକେଟ୍ ନେଇଛନ୍ତି । ଷ୍ଟେନ୍ ଡିସେମ୍ବର, ୨୦୦୪ରେ ପୋର୍ଟ ଏଲିଜାବେଥରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ବେଳେ ୨୦୧୯ ଫେବୃଆରୀରେ ଶ୍ରୀଲଙ୍କା ବିପକ୍ଷରେ ନିଜର ଶେଷ ଟେଷ୍ଟ ଖେଳିଥିଲେ ।


